Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ହେବନି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ହେବନି। ରବିବାର ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାଁ ପରିବର୍ତ୍ତନ ହେବା ନେଇ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ବିବାଦ ଘନେଇ ଥିଲା। ଏବେ ରାଜ୍ୟ ସରକାର ନାଁ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁଙ୍କ ନାଁରେ ଦୀର୍ଘ ବର୍ଷରୁ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଅଛି। ଏହାର ନାମ ପରିବର୍ତ୍ତନ କଥା ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ଏବଂ ମୋ ପାଖରେ ବି ସେ ପ୍ରକାରର କୌଣସି ସୂଚନା ନଥିଲା। ମୋ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦିଅନ୍ତି। ବିଜୁ ବାବୁ ନିଜ ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ଓଡ଼ିଶା ପାଇଁ ତଥା ଭାରତ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବ ପରି ଚାଲୁ ରହିବ। ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବାର ଯୋଜନା ନାହିଁ। ଯେମିତି ଆଗରୁ ଚାଲିଥିଲା ସେମିତି ଚାଲିବ।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ କଥା ଉଠିଥିଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ। ଏଥିରେ ‘ବିଜୁ ପଟ୍ଟନାୟ କ୍ରୀଡ଼ା ପୁରସ୍କାର’ ବଦଳରେ ’ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଲେଖାଯାଇଥିଲା। ପୁରସ୍କାରର ନାମ ପରିବର୍ତ୍ତନ ବ୍ୟତୀତ ଏହି ବିଜ୍ଞପ୍ତିରେ ଅନ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ଏହି ପୁରସ୍କାରର ନିୟମାବଳୀରେ ମଧ୍ୟ ବି କୌଣସି ବିଶେଷ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳି ନଥିଲା। ଏହି ବିଜ୍ଞପ୍ତିକୁ ନେଇ ବିଜେଡି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲା। ଏହାକୁ ନେଇ ଶନିବାର ରାଜନୀତି ସରଗରମ ହୋଇଥିଲା।

ପୂର୍ବରୁ ଲାଇଫ-ଟାଇମ୍ ଆଚିଭମେଣ୍ଟ, କ୍ରୀଡ଼ା ଓ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ, କୋଚିଂରେ ଉତ୍କୃଷ୍ଟତା, କ୍ରୀଡ଼ା ସାମ୍ବାଦିକତାରେ ଉତ୍କୃଷ୍ଟତା ଓ କ୍ରୀଡ଼ା ଏବଂ ଖେଳକୁ ପ୍ରୋତ୍ସାହିତ କରିବାରେ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯାଉଥିଲେ। ଏବେ ଏହି ୫ଟି ବର୍ଗ ସହିତ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍, ବର୍ଷର ଶ୍ରେଷ୍ଠ ଆଥ୍‌ଲେଟ୍ (ଜୁନିୟର ବର୍ଗ) ଓ ବର୍ଷର ଶ୍ରେଷ୍ଠ ସ୍ପୋର୍ଟସ ଟେକିନିକାଲ ଅଫିସିଆଲ/ସପୋର୍ଟ ଷ୍ଟାଫ୍ ବର୍ଗକୁ ଯୋଡ଼ା ଯାଇଛି। ନୂତନ ଭାବେ ଗଠନ କରାଯାଇଥିବା ତିନିଟି ବର୍ଗର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ଲେଖାଏଁ ରହିଛି।