ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି, ବାବା ଚନ୍ଦ୍ରଶେଖର, ବାବା ଲୋକନାଥଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର । ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆ ପହଁଚି ସାରିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ କାଉଡ଼ିଆ ଯାଉଥିବା ଦେଖିବାକୁ ମିଳିଛି ।
ଶ୍ରାବଣର ପହିଲି ସକାଳରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡ଼ିଆ । ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ଼ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ।
ସେହିପରି ଶ୍ରାବଣ ପ୍ରଥମ ସୋମବାରରେ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରରେ କାଉଡ଼ିଆ ଲମ୍ବା ଲାଇନରେ ଅପେକ୍ଷା କରି ଜଳାଭିଷେକ କରିଛନ୍ତି । ଶ୍ରାବଣ ପ୍ରଥମ ସୋମବାରରେ ମନ୍ଦିରରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ ହୋଇଛି । ଧବଳେଶ୍ୱରରେ ମନ୍ଦିରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କାଉଡ଼ିଆମାନେ ପ୍ଲାଷ୍ଟିକ କଳସରେ ପାଣି ନ ଢାଳିବାକୁ ନିୟମ ରହିଛି । ଆଜି ଭୋର୍ ୪ଟାରୁ ବାବାଙ୍କ ମନ୍ଦିର ଖୋଲାଯାଇ ୧୦୮ କଳସରେ ଜଳ ଲାଗି କରାଯାଇଥିଲା ।
ସେହିପରି ବାବା ଆଖଣ୍ଡଳମଣୀ, କପିଳାସର ବାବା ଚନ୍ଦ୍ରଶେଖର, ଲୋକନାଥ ବାବାଙ୍କ ସମେତ ରାଜ୍ୟର ବିଭିନ୍ନ ଶିବାଳୟରେ କାଉଡ଼ିଆ ଲମ୍ବା ଲାଇନରେ ମହାଦେବଙ୍କୁ ଜଳଲାଗି କରୁଛନ୍ତି ।