ନେପାଳର କାଠମାଣ୍ଡୁରେ ଦୁର୍ଘଟଣା, ଟେକଅଫ୍ କରିବା ସମୟରେ ବିମାନ କ୍ରାସ, ୧୮ ଯାତ୍ରୀ ମୃତ


ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁରେ ବଡ ଦୁର୍ଘଟଣା ଘଟିଛି । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ଉଡାଣ ଭରିବା ସମୟରେ ଶୌର୍ଯ୍ୟ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଅତି କମରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ୧୫ ଜଣ ମୃତଦେହ ଉଦ୍ଧାର ହୋଇ ସାରିଛି ।

ଦ କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ପୋଖରା ଯାଉଥିବା ବିମାନରେ ଏୟାରକ୍ରୁ ସହିତ ୧୯ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣା ବୁଧବାର ଦିନ ପ୍ରାୟ ୧୧ଟାରେ ଘଟିଛି । ପୋଲିସ ଓ ଅଗ୍ନିଶମ ବଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇ ଯିବାରୁ କାହାରି ବଞ୍ଚିବାର ସମ୍ଭାବନା କ୍ଷୀଣ ରହିଛି । ଘଟଣାସ୍ଥଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ବିମାନର ପାଇଲଟଙ୍କୁ ନିକଟତମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଜୁଟିଛନ୍ତି ।

ଉଲ୍ଲେଖନୀୟ ନେପାଳର ବିମାନ ଉଦ୍ୟୋଗ ଗତ କିଛି ବର୍ଷ ହେବ ଦ୍ରୁତ ଗତିରେ ଆଗକୁ ବଢୁଛି । ଏଥିରେ ବିଦେଶୀ ପର୍ଯ୍ୟଟକ ଏବଂ ପର୍ବତାରୋହୀଙ୍କୁ ବେଶ ଫାଇଦା ମିଳୁଛି । ମାତ୍ର ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ଏବଂ ରକ୍ଷଣାବେକ୍ଷଣ କାରଣରୁ ବିମାନ ସଞ୍ଚାଳନ ନେଇ ପ୍ରଶ୍ନ ଉଠୁଛି । ୟୁରୋପୀୟ ୟୁନିୟନ ସୁରକ୍ଷା କାରଣରୁ ସମସ୍ତ ନେପାଳୀ ଏୟାରଲାଇନ୍ସକୁ ନିଜ ଆକାଶ କ୍ଷେତ୍ରରେ କଟକଣା ଲଗାଇଛି ।