ଲକ୍ଷାଧିକ ଟଙ୍କା କ୍ଷତି କଲେ ଅର୍ଶଦୀପ ସିଂ ! ଜାଣନ୍ତୁ ଗୋଟିଏ ଷ୍ଟମ୍ପର ମୂଲ୍ୟ କେତେ


ନୂଆଦିଲ୍ଲୀ: ଅର୍ଶଦୀପ ସିଂ ଆଇପିଏଲ୍ ୨୦୨୩ର ୩୧ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଘାତକ ୟର୍କର ବଲ୍ ଫିଙ୍ଗି ଷ୍ଟମ୍ପ ଭାଙ୍ଗି ଦେଇଛନ୍ତି। ବାମହାତୀ ଏହି ଦ୍ରୁତ ବୋଲର ମ୍ୟାଚର ଶେଷ ଓଭରରେ ଗୋଟିଏ ନୁହେଁ ଦୁଇ ଦୁଇ ଥର ମିଡିଲ୍ ଷ୍ଟମ୍ପ ଭାଙ୍ଗିଛନ୍ତି। ଅର୍ଶଦୀପ ପ୍ରଥମେ ତିଳକ ବର୍ମାଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଏବଂ ପୁଣି ନେହଲ ଓ୍ଵେଢରାଙ୍କୁ ସମାନ ଢଙ୍ଗରେ ପାଭିଲିୟନର ରାସ୍ତା ଦେଖାଇଥିଲେ। ଅର୍ଶଦୀପଙ୍କ ଏହି ସଫଳତା ପରେ ପ୍ରଂଶସକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ଆଇପିଏଲରେ ବ୍ୟବହୃତ ଷ୍ଟମ୍ପର ମୂଲ୍ୟ କେତେ ?

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆଇପିଏଲରେ ବ୍ୟବହୃତ ଗୋଟିଏ ଷ୍ଟମ୍ପ ସେଟର ମୂଲ୍ୟ ୨୫ ଲକ୍ଷରୁ ୩୦ ଲକ୍ଷ ମଧ୍ୟରେ ରହିଥାଏ। ଗୋଟିଏ ଷ୍ଟମ୍ପର ସେଟରେ ତିନୋଟି ଖୁଣ୍ଟି ରହିଥାଏ। ଷ୍ଟମ୍ପ ଉପରେ ରହୁଥିବା ଜିଙ୍ଗ୍ସ ବେଲର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା। ଆଇପିଏଲରେ ଗୋଟିଏ ମ୍ୟାଚର ପିଚର ଉଭୟ ପାର୍ଶ୍ଵରେ ଷ୍ଟମ୍ପ ଲାଗିଥାଏ। ଯଦି ଗୋଟିଏ ସେଟ୍ ଷ୍ଟମ୍ପର ମୂଲୟ ୨୫ ଲକ୍ଷ, ତେବେ ଦୁଇ ସେଟ୍ ଷ୍ଟମ୍ପର ମୂଲ୍ୟ ୫୦ ଲକ୍ଷ ଏବଂ ବେଲ୍ସର ମୂଲ୍ୟ ଏକ ଲକ୍ଷ ଟଙ୍କା ରହୁଛି। ତେଣୁ ଏମିତିରେ ଅର୍ଶଦୀପ ସିଂ ଶନିବାର ମ୍ୟାଚରେ ବହୁତ କ୍ଷତି କରିଛନ୍ତି।

ପଞ୍ଜାବ କିଙ୍ଗ୍ସ ଦ୍ଵାରା ଧାର୍ଯ୍ୟ ୨୧୫ ରନର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୧୭ ଓଭରରେ ୧୭୫ ରନ କରି ସାରିଥିଲା। ଶେଷ ୩ ଓଭରରେ ଜିତିବା ପାଇଁ ଦରକାର ଥିଲା ୪୦ ରନ। ଓ୍ଵାଙ୍ଖେଡାରେ ଶେଷ ଓଭର ଗୁଡିକରେ ଏତିକି ରନ କରିବା ମୁସ୍କିଲ ନଥିଲା। କିନ୍ତୁ ଅର୍ଶଦୀପ ସିଂ ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚ୍ ଜିତିବାକୁ ଦେଇନଥିଲେ।

ଶେଷ ଓଭରରେ ମୁମ୍ବାଇକୁ ଜିତିବା ପାଇଁ ୧୬ ରନ ଦରକାର ଥିଲା। ଅର୍ଶଦୀପ ପ୍ରଥମ ଦୁଇଟି ବଲରେ ଗୋଟିଏ ରନ ଦେଇଥିଲେ। ତୃତୀୟ ବଲରେ ତିଳକ ବର୍ମାଙ୍କୁ କ୍ଲିନ ବଲ୍ଡ କରିଥିଲେ। କେବଳ ଆଉଟ୍ କରିନଥିଲେ ୟର୍କର ବଲରେ ଷ୍ଟମ୍ପକୁ ଦୁଇ ଖଣ୍ଡ କରି ଦେଇଥିଲେ। ଚତୁର୍ଥ ବଲରେ ନେହଲ ଓ୍ଵେଢରାଙ୍କୁ ୟର୍କର ବଲରେ ବୋଲ୍ଡ କରିଥିଲେ। ଅର୍ଶଦୀପଙ୍କ ୟର୍କରରେ ପୁଣି ଥରେ ମିଡିଲ୍ ଷ୍ଟମ୍ପ ଦୁଇ ଖଣ୍ଡ ହୋଇ ଯାଇଥିଲା। ଏହିପରି ମୁମ୍ବାଇକୁ ହରାଇବା ସହ ଆଇପିଏଲର କ୍ଷତି ଘଟାଇଛନ୍ତି ଅର୍ଶଦୀପ।