ମୁୁମ୍ବାଇ: କିଛି ଦିନ ପୂର୍ବେ ବିସିିସିଆଇ ଅଫିସରେ ଆଇପିଏଲର ଅଧିକାରୀ ଓ ଟିମ୍ ମାଲିକଙ୍କ ମଧ୍ୟରେ ବୈଠକ ହୋଇଥିଲା । କିଛି ମାଲିକ ଏହି ବୈଠକରେ ଉପସ୍ଥିତ ହୋଇଥିବା ବେଳେ ଆଉ କିଛି ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ବୈଠକରୁ ଅନେକ ଚକିତ କରି ଦେବା ଭଳି ଖବର ସାମ୍ନାକୁ ଆସିଛି । ଏସବୁ ଭିତରେ ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ରହିଛି ବଡ ଖବର ।
ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଲିଜ କରିପାରେ । ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ଆଇପିଏଲ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିଥିଲା । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଏହି ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା । ହେଲେ ଦଳ ଗତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏବେ ଖବର ଆସୁଛି ଯେ, ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିବ ନାହିଁ ।
ଆଇପିଏଲର ନିୟମ ଅନୁସାରେ ପ୍ରତି ତିନି ବର୍ଷରେ ମେଗା ନିଲାମ ଆୟୋଜିତ ହୁଏ । ଏଥର ଡିସେମ୍ବର ମାସରେ ମେଗା ନିଲାମ ହେବାକୁ ଯାଉଛି । ସମସ୍ତ ୧୦ ଦଳକୁ ଚାର-ଚାର ଖେଳାଳି ରିଟେନ କରିବାର ଅନୁମତି ରହିଛି । ଏହା ମଧ୍ୟ ଖବର ଆସିଛି ଯେ, ଏତର ରିଟେନ ହେଉଥିବା ଖେଳାଳିଙ୍କ ସଂଖ୍ୟା ଅଧିକ ହୋଇପାରୈ ।
ସୂତ୍ର ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ କୌଣସି ବି ସ୍ଥିତିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମରାଙ୍କୁ ଦଳରୁ ଛାଡିବାକୁ ଚାହୁଁ ନାହିଁ । ଏମିତିରେ ଫ୍ରାଞ୍ଜାଇଜଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଲିଜ କରିବାକୁ ପଡିପାରେ । କାରଣ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଅଧିନାୟକ । ତେଣୁ ମୁମ୍ବାଇ ତାଙ୍କୁ ନିଜ ଦଳର ଅଧିନାୟକ କରିପାରେ । ପୁଣି ରୋହିତ ମଧ୍ୟ ସୂର୍ଯର୍୍ୟଙ୍କ ନେତୃତ୍ୱରେ ଖେଳିବାକୁ ସହଜ ମଣିବେ ।
ରିପୋର୍ଟ ମୁତାବକ ମୁ୍ମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ ପାଇଁ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ଯଶପ୍ରୀତ ବୁମରା ଓ ତିଳକ ବର୍ମାଙ୍କୁ ଦଳରେ ରଖିପାରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଫ୍ରାଞ୍ଚାଇଜ ଏବେ ନୂତନ ଭାବେ ନିଜର ଦଳ ପ୍ରସ୍ତୁତ କରିବ ।