Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୩ ନମ୍ବର ରାଜପଥ ବେହାଲ,କାମ ନହେଲେ ଆନ୍ଦୋଳନ !

ସମ୍ବଲପୁର/ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୌଡ଼ପାଲି ଠାରୁ ଜମନକିରା ଯାଏଁ ବର୍ତ୍ତମାନ ଜାତୀୟ ରାଜପଥ ୫୩ ବର୍ଷା ଦିନରେ ସମ୍ପୂର୍ଣ୍ଣ ଭାବରେ ମରଣଯନ୍ତା ପାଲଟିଛି। ପୂର୍ବରୁ ଯାହା ଟିକିଏ ଅସ୍ଥାୟୀ ମରାମତି ହୋଇଥିଲା ସେଗୁଡିକ ଏବେ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇ ବହୁତ ବଡ଼ ବଡ ଗର୍ତ୍ତ ସୃଷ୍ଟି ହେଇଛି। ରାସ୍ତାରେ ଗର୍ତ୍ତ ଗୁଡିକରେ ପାଣି ଜମିରହିଥିବା ଯୋଗୁଁ ଓ ରାସ୍ତାର ଅବସ୍ଥା ପାଇଁ ଦୈନଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଅଛି। ଫଳରେ ରାସ୍ତାରେ ଯିବା ଆସିବା କରିବାପାଇଁ ପଥିକ,ଆମ୍ବୁଲାନ୍ସ, ଯାତ୍ରୀବାହୀ ଯାନ, ମାଲବାହୀ ଯାନ ଗୁଡ଼ିକ ପାଇଁ ଦୁର୍ବିସହ ହୋଇପଡିଛି। ରାସ୍ତାଟି କଲିକତା ରୁ ମୁମ୍ବାଇ ଭଳିଆ ମେଟ୍ରୋ ସହରକୁ ସଂଯୋଗ କରୁଥିବା ବେଳେ, ସମ୍ବଲପୁରରୁ ଦେବଗଡ଼, କେନ୍ଦୁଝର, ଅନୁଗୋଳ, ବାରିପଦା, ବାଲେଶ୍ଵର ତଥା କୁଚିଣ୍ଡା ସହରକୁ ଯୋଡୁଅଛି। ରାସ୍ତାରେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଟ୍ରକ୍, ବସ, କାର ଓ ମୋଟର ସାଇକେଲ ସହିତ ଅନେକ ଛୋଟ ବଡ଼ ଗାଡ଼ି ଚଳାଚଳ କରୁଅଛି। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ରାସ୍ତାର ଯାହା ଅବସ୍ଥା ହେଇଛି, ଲୋକେ ଏହି ରାସ୍ତାରେ ଯିବା ଆସିବା ନ କରି ଅନ୍ୟ ରାସ୍ତାରେ ଯିବା ପାଇଁ ପସନ୍ଦ କରୁଅଛନ୍ତି।
ପ୍ରକାଶ ଯୋଗ୍ୟ, ଗତ ବର୍ଷ ଠାରୁ ଜାତୀୟ ରାଜପଥ ପ୍ରାଧିକରଣ ଦ୍ଵାରା ଏକ ଠିକା ସଂସ୍ଥା ଏହି ରାସ୍ତାକୁ ସମ୍ପୂର୍ଣ୍ଣ ନୂତନ ଭାବରେ ନିର୍ମାଣ ପାଇଁ ନିୟୋଜିତ ହୋଇଅଛି। କିନ୍ତୁ କମ୍ପାନୀ ବର୍ଷାରେ ସୃଷ୍ଟି ହୋଇଥିବା ଗର୍ତ୍ତ ଗୁଡ଼ିକ ମରାମତି କରୁନାହିଁ। ଯାହା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଅନେକ ପ୍ରଶାସନିକ ଅଧିକାରୀଙ୍କ ଗସ୍ତ ରହୁଥିବା ବେଳେ ବର୍ତ୍ତମାନ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବାବେଳେ ରାସ୍ତାର ଦୂରାବସ୍ଥା ପ୍ରତି କାହାରି ଦୃଷ୍ଟି ପଡୁନାହିଁ।
ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହି ରାସ୍ତାର ମରାମତି ନ ହେଲେ ଆଞ୍ଚଳିକ ସ୍ତରରେ ଆଲୋଚନା କରାଯାଇ ଏକ ବଡ ଆନ୍ଦୋଳନକୁ ଲୋକେ ରାସ୍ତା ଉପରେ ଠିଆ ହେବାକୁ ଚେତାବନି ଦେଲେଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ