Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାଁକୁ ମହାନଗର ୪୦ ନମ୍ବର ୱାର୍ଡ ଭୋଇପାଲି କୁ କାହାର ନଜର ନାହିଁ

ସମ୍ବଲପୁର:ନାଁ କୁ ମହାନଗର।ଗାଁ ଠାରୁ ବି ବହୁ ପଛରେ ପଡିଛି ୱାର୍ଡର ପ୍ରଗତି।ବିକାଶ ଦିଶା ହୀନ।ରାସ୍ତା,ପାନୀୟ ଜଳ,ଶୌଚାଳୟ ଭଳି ମୌଳିକ ସୁବିଧା ଛୁଇଁ ପାରିନି ସମ୍ବଲପୁର ମହାନଗର ନିଗମର ୪୦ ନମ୍ବର ୱାଡର ଭୋଇପାଲି ଗାଁକୁ।
ଭୋଇପାଲି ଗାଁରେ ରହିଛି ନାହିଁ ନଥିବା ସମସ୍ୟା।ସମସ୍ୟାରେ ଜର୍ଜରିତ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ଦୁଇଟି ନଳ କୂପ ଲୋକଙ୍କ ସାହା ଭରସା ହୋଇଥିବା ବେଳେ ଏହି ୱାର୍ଡରେ ବନ୍ଧ କଁଟା ଟିଏ ମଧ୍ୟ ନାହିଁ । ଜଳ ସଂରକ୍ଷଣ ପାଇଁ କଁଟା ବନ୍ଧର ଆବଶ୍ୟକତାକୁ ଗ୍ରାମବାସୀ ଅନେଇ ବସିଛନ୍ତି।ଗାଁକୁ ପ୍ରବେଶ କରୁଥିବା ଗୋଟିଏ ପାର୍ଶ୍ୱ ରାସ୍ତାରୁ ସିମେଣ୍ଟ ଉଠିଯାଇଥିବା ବେଳେ ଅନ୍ୟ ପାର୍ଶ୍ୱ ରାସ୍ତା ଆଣ୍ଠୁଏ କାଦୁଅରେ ଭର୍ତ୍ତି।ଏହି ରାସ୍ତା ସ୍କୁଲ ଶିକ୍ଷାର୍ଥୀଙ୍କ ଠାରୁ ସମସ୍ତଙ୍କ ଭରସା ହୋଇଥିବା ବେଳେ ମହାନଗର ନିଗମର ଦୃଷ୍ଟି ପଡୁନି ୪୦ ନମ୍ବର ୱାର୍ଡ ଭୋଇପାଲି ଉପରେ।ଏହାହିଁ ବର୍ତ୍ତମାନକୁ ବଡ ଦୁଃଖର କାରଣ ସାଜିଛି।
ମାନେଶ୍ୱର ପଞ୍ଚାୟତ ଅଧିନରେ ଥିବା ଏହି ଗାଁ ୧୨ ବର୍ଷ ତଳେ ମହାନଗର ନିଗମରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଗାଁ ଦୁଃଖ ବଳି ପଡିଛି ଏବେ।ମୌଳିକ ସମସ୍ତ ସେବା ରୁ ବଞ୍ଚିତ ହରିଜନପଡା,ବେଲପଡା, ମିର୍ଧାପଡା,ଗଣ୍ଡପଡା,ଡୁମ୍ବରୀପଡା,ନୂଆଁପଡା,ମୁଣ୍ଡାପଡା,ଲିମ୍ ଟିକିରା ବାସୀଙ୍କ ଦିନକୁ ଦିନ ବଢ଼ୁଛି ଦୁର୍ଦ୍ଦଶା । ଗାଁ ଅଗଣାରେ ନାହିଁ କୌଣସି ସୁବିଧା।କ୍ଲବ ଘର ଟିଏ ନାହିଁ । ମୁଠାଏ ଚାଉଳ ହେଉକି ଭତ୍ତା ଭିନ୍ନକ୍ଷମଙ୍କ ଠାରୁ ବୃଦ୍ଧ ବୃଦ୍ଧା ସମସ୍ତଙ୍କୁ ଧାଇଁବାକୁ ପଡିଥାଏ ୮ କିଲୋମିଟର ଦୂର ମାନେଶ୍ୱରକୁ।ହାତ ପାହାନ୍ତାରେ ନାହିଁ କୌଣସି ସୁବିଧା।ମାସକୁ ଥରେ ଭ୍ରାମ୍ଯମାଣ ସ୍ୱାସ୍ଥ୍ୟ ସେବା ସେମାନଙ୍କ ସାହାରା।
ଏପରିକି ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ବାସଚ୍ୟୁତ ହୋଇ ଭୋଇପାଲିରେ ବସତି କରିଥିବା ଅନେକ ବାସଚ୍ୟୁତଙ୍କୁ ସ୍ଥାୟୀ ପଟ୍ଟା ମିଳି ନଥିବାରୁ ବହୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗାଁ ଲୋକ।
୪୦ ନମ୍ବର ୱାର୍ଡରେ ଲାଗିରହିଥିବା ଏଭଳି ବିଭିନ୍ନ ସମସ୍ୟା ନେଇ ୱାର୍ଡ ଅଫିସର ଠାରୁ କମିଶନର ଯାଏ ସମସ୍ତଙ୍କୁ ହାରି ଗୁହାରୀ ସତ୍ତ୍ୱେ ୱାର୍ଡ ବାସୀଙ୍କୁ ମିଳୁନି କୌଣସି ନ୍ୟାୟ।ଏଣୁ ସେମାନେ ପୁଣି ଏବେ ପଞ୍ଚାୟତକୁ ଫେରିଯିବା ପାଇଁ ମନସ୍ତ କରି ଜାଗରଣ ସୃଷ୍ଟି କରିବା ଆରମଂଭ କରିଛନ୍ତି।ୱାର୍ଡବାସୀଙ୍କ ପ୍ରତି ଅନ୍ୟାୟ ବଢ଼ୁଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଉଥିବା ୱାର୍ଡବାସୀ ଅଭିଯୋଗ ଆଣି ବିଭିନ୍ନ ସମସ୍ୟାର ସମାଧାନ ନହେଲେ ପଞ୍ଚାୟତକୁ ଫେରିଯିବା ଭଳି ବିକଳ୍ପ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ୱାର୍ଡବାସୀ କହିଛନ୍ତି।