ଇତିହାସ ରଚିଲେ ନୀଚଜ ଚୋପ୍ରା, ପ୍ୟାରିସ ଅଲିମ୍ପିକ୍ସରେ ଜିତିଲେ ରୌପ୍ୟ, ପାକିସ୍ତାନର ଅର୍ଶଦଙ୍କୁ ସ୍ୱର୍ଣ୍ଣ


ପ୍ୟାରିସ: ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ତାରକା ଭାରତୀୟ ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମଧ୍ୟ ଇତିହାସ ରଚିଛନ୍ତି । ସେ ପ୍ୟାରିସରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ତେବେ ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର ଥିବା ନୀରଜଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିବା ବେଳେ ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ସ ଇତିହାସର ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗ୍ରେନେଡାର ଆଣ୍ଡରସନ ପିଟର୍ସ କାଂସ୍ୟ ପଦକ ଜିତିଛନ୍ତି ।

ନୀରଜ ୮୯.୪୫ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ଏହା ନୀରଜଙ୍କ ଚଳିତ ସିଜିନରେ ଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ ମିଟର ଦୂର ଯାଏଁ ଜାଭଲିନ ଫିଙ୍ଗିଥିଲେ । ଅନ୍ୟପଟେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟର ଜାଭଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଏଥିସହ ସହ ସେ ଅଲିମ୍ପିକ୍ସରେ ଇତିହାସରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଅର୍ଶଦ ନଦୀମ ନରୱେର ଆଣ୍ଡ୍ରିୟାସ ଥୋରକିଲ୍ଡସେନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆଣ୍ଡ୍ରିୟାସ ଏହି ରେକର୍ଡ ୨୦୦୮ ଅଗଷ୍ଟ ୨୩ରେ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟର ଯାଏଁ ଭାଲା ଫିଙ୍ଗିଥିଲେ ।

ଏହି ପଦକ ସହ ୨୬ ବର୍ଷୀୟ ନୀରଜ ଚୋପ୍ରା ଏକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କ୍ରମାଗତ ଦୁଇ ଅଲିମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ଭାରତର ବ୍ୟକ୍ତିଗତ ଇଭେଣ୍ଟ ସୁଟିଂରେ ଅଭିନବ ବିନ୍ଦ୍ରା ବେଜିଂ ୨୦୦୮ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ମାତ୍ର ଏହା ପରେ ସେ କୌଣସି ପଦକ ଜିତି ନ ଥିଲେ ।