Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ଲ୍ୟାମ୍ପରେ ତେଜିଲା ରାଜନୀତି:ଋଣ ଖିଲାପୀ ଥିବାରୁ ଦୁଇ ନିର୍ଦ୍ଦେଶକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ

ସମ୍ବଲପୁର : କୁଚିଣ୍ଡା ଲ୍ୟାମ୍ପରେ ରାଜନୀତି ଜୋର ଧରିଛି। ଘଡିକେ ଘଡି ନୂଆଁ ନୂଆଁ କଥା ପଦାକୁ ଆସୁଛି। ବର୍ତ୍ତମାନ କୁସୁମୀ ଲ୍ୟାମ୍ପର ଋଣ ଖିଲପୀ ଥିବାରୁ କୁଚିଣ୍ଡା ଲ୍ୟାମ୍ପର ନିର୍ଦ୍ଦେଶକ ମନୋରଞ୍ଜନ ଭୋଇ ଏବଂ ଚିତ୍ତରଞ୍ଜନ ଭୋଇଙ୍କୁ ନିର୍ଦ୍ଦେଶକ ପଦବୀରୁ ଅଯୋଗ୍ୟ ଘୋଷଣା ପାଇଁ କୁଚିଣ୍ଡା ଲ୍ୟାମ୍ପର ପୂର୍ବତନ ସଭାପତି ନବୀନ ମାଝୀ ଓ ଅନ୍ୟ ଚାରି ଜଣ ନିର୍ଦ୍ଦେଶକ ସମ୍ବଲପୁର ଜିଲ୍ଲା ସମବାୟ ସମିତି ସମୂହର ନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, କୁଚିଣ୍ଡା ଲ୍ୟାମ୍ପର ନିର୍ଦ୍ଦେଶକ ମନୋରଞ୍ଜନ ଭୋଇ ଏବଂ ତାଙ୍କ ଭାଇ ଚିତ୍ତରଞ୍ଜନ ଭୋଇ କୁସୁମୀ ଲ୍ୟାମ୍ପରୁ ଗତ ୨୦୨୧ ମଃ ଠାରୁ ଋଣ ଆଣି ତାକୁ ଏପର୍ଯ୍ୟନ୍ତ ପରିଶୋଧ କରି ନାହାଁନ୍ତି। ମନୋରଞ୍ଜନ ଭୋଇ ୧ ଲକ୍ଷ ୪୪ ହଜାର ଟଙ୍କାର ଋଣ ଆଣି ତାକୁ ପରିଶୋଧ ନ କରି ଏପର୍ଯ୍ୟନ୍ତ ଋଣ ଖିଲାପୀ ହୋଇ ରହିଛନ୍ତି। ସେହିପରି ଚିତ୍ତରଞ୍ଜନ ଭୋଇ ୧ ଲକ୍ଷ ୧୭ ହଜାର ଟଙ୍କାର ଋଣ ଆଣି ତାକୁ ପରିଶୋଧ ନ କରି ଏପର୍ଯ୍ୟନ୍ତ ଋଣ ଖିଳାପୀ ହୋଇ ରହିଛନ୍ତି। ଏହା ବ୍ୟତୀତ ଉଭୟେ କୁସୁମୀ ଲ୍ୟାମ୍ପର ସଭ୍ୟ ଥିବା ସତ୍ତ୍ଵେ କେଉଁ କାଗଜପତ୍ର ଦାଖଲ କରି ଏକା ସମୟରେ କୁଚିଣ୍ଡା ଲ୍ୟାମ୍ପର ସଭ୍ୟ ହେଲେ ଏବଂ ସମବାୟ ଆଇନର ଉଲଂଘନ କରି କୁଚିଣ୍ଡା ଲ୍ୟାମ୍ପର ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନିର୍ଦ୍ଦେଶକ ହେଲେ, ତାହାର ଉପଯୁକ୍ତ ତଦନ୍ତ କରି ଉଭୟଙ୍କୁ କୁଚିଣ୍ଡା ଲ୍ୟାମ୍ପର ନିର୍ଦ୍ଦେଶକ ପଦବୀରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ପୂର୍ବତନ ସଭାପତି ଶ୍ରୀ ମାଝୀ ଓ ଅନ୍ୟ ନିର୍ଦ୍ଦେଶକ ମାନେ ଦାବି କରିଛନ୍ତି। ପ୍ରକୃତରେ ଉଭୟଙ୍କ ଜମି ବାଡି କେଉଁ ଲ୍ୟାମ୍ପ ଅଧିନରେ ଅଛି, ତାହାର ତଦନ୍ତ କରି ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, କୁଚିଣ୍ଡା ଲ୍ୟାମ୍ପର ପୂର୍ବତନ ସଭାପତି ନବୀନ ମାଝୀ ଏବଂ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବେହେରା କୁଚିଣ୍ଡା କାର୍ଡ ବ୍ୟାଙ୍କର ଋଣ ଖିଳାପି ଅଟନ୍ତି ବୋଲି ମନୋରଞ୍ଜନ ଭୋଇ ଏବଂ ଅନ୍ୟ କେତେକ ନିର୍ଦ୍ଦେଶକ ଅଭିଯୋଗ କରିବାରୁ ଗତ ୦୨/୦୮/୨୦୨୪ ମଃ ଦିନ ଆୟୋଜିତ କୁଚିଣ୍ଡା ଲ୍ୟାମ୍ପର ବୈଠକରେ ଉଭୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। କୁଚିଣ୍ଡା କାର୍ଡ ବ୍ୟାଙ୍କଟି ଦୀର୍ଘ ବର୍ଷ ହେବ ବନ୍ଦ ହୋଇଯାଇଛି। ଏହା ସତ୍ତ୍ଵେ ଯଦି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଗଲା , ତେବେ ବର୍ତ୍ତମାନ ମଧ୍ୟ ଚାଲୁଥିବା କୁସୁମୀ ଲ୍ୟାମ୍ପର ଋଣ ଖିଳାପି ଥିବା ମନୋରଞ୍ଜନ ଭୋଇ ଓ ଚିତ୍ତରଞ୍ଜନ ଭୋଇଙ୍କ ପ୍ରତି ମଧ୍ୟ ସମାନ ନିୟମ ପ୍ରୟୋଗ କରି ଉଭୟଙ୍କୁ କୁଚିଣ୍ଡା ଲ୍ୟାମ୍ପର ନିର୍ଦ୍ଦେଶକ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେମାନେ ସମ୍ବଲପୁର ଜିଲ୍ଲା ସମବାୟ ସମିତି ସମୂହର ନିବନ୍ଧକଙ୍କୁ ଲିଖିତ ଭାବେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ