କୋଲକାତା: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି । ଗୋଟିଏ ସିବିଆଇ ମାମଲାର ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଦୋଷୀଙ୍କୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି ପୀଡିତ ପରିବାର । ଏହା ମଧ୍ୟରେ ଚକିତ କରି ଦେବା ପରି ନିଷ୍ପତ୍ତି ନେଇଛନ୍ତି ମମତା ସରକାର । ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ୪୨ପ୍ରଫେସର ଓ ଡାକ୍ତରମାନଙ୍କ ବଦଳି କରିଛନ୍ତି । ଏହି ପ୍ରଫେସର ଓ ଡାକ୍ତରମାନେ ମହିଳା ଡାକ୍ତରଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ୱର ଉଠାଇଥିଲେ । ଏହି ବଦଳି ପଛରେ ଷଡଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି ।
କେଉଁ କାରଣ ପାଇଁ ଏତେ ସଂଖ୍ୟାରେ ଡାକ୍ତର ଓ ପ୍ରଫେସରଙ୍କ ବଦଳି କରାଗଲା ସେ ନେଇ ସ୍ପଷ୍ଟ କରି ନାହାନ୍ତି ମମତା ବାନାର୍ଜୀ ସରକାର । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛି ବିଜେପି । ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭିୟ ଟୁଇଟ୍ କରିଛନ୍ତି ଯେ, ମମତା ବାନାର୍ଜୀଙ୍କ ସରକାର ଉଦ୍ଦେଶ୍ୟମୂଳକ ଭାବେ ଡାକ୍ତରଙ୍କ ବଦଳି କରିଛି । ଯେଉଁସବୁ ଅଧିକାରୀ ଏହି ଆନ୍ଦୋଳନରେ ସାମିଲ ଥିଲେ ସେମାନଙ୍କୁ ଜାଣିଶୁଣି ରାଜ୍ୟ ସରକାର ଟାର୍ଗେଟ୍ କରିଛନ୍ତି ।
ଅମିତ ମାଲଭିୟ ଏହା ମଧ୍ୟ କହିଛନ୍ତି, ଡାକ୍ତର ସମୁଦାୟକୁ ଆତ୍ମ ସମର୍ପଣ କରାଇବା ଉଦ୍ଦେଶ୍ୟରେ ଏହ ଅପପ୍ରୟାସ କରାଯାଇଛି । ସେ ପ୍ରଶ୍ନ କରିଛନ୍ତି ଯେ, ମତା ସରକାର ଏହି ଘଟଣାରେ କଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁ ଡାକ୍ତରଙ୍କ ବଦଳି କରାଯାଇଛି, ସେଥିରେ ଆରଜି କର ହସ୍ପିଟାଲରେ ମୁତୟନ ଡାକ୍ତର ସଙ୍ଗୀତା ପଲ ଓ ଡାକ୍ତର ସୁପ୍ରିୟା ଦାସ ମଧ୍ୟ ସାମିଲ । ଆନ୍ଦୋଳନରେ ସାମିଲ ଡାକ୍ତର କିଞ୍ଜଲ ନନ୍ଦା କହିଛନ୍ତି, ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ ହିଁ ବଦଳି କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେ ଦୃଢ ହସ୍ତରେ ବିରୋଧ କରୁଛୁ । ସୂଚନାଯୋଗ୍ୟ, ଘଟଣାକୁ ପ୍ରତିବାଦ ଆଇଏମର ଡାକ୍ତରମାନେ ଗତକାଲି ୨୪ ଘଣ୍ଟିଆ ହଡତାଳରେ ବସିଥିଲେ ।