ଭଦ୍ରକ: ବସ୍ ଆଗକୁ ଦ୍ରୁତ ଗତିରେ ମାଡ଼ି ଆସିଲା ବାଇକ୍ । ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ୍ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର । ଫଳରେ ରାସ୍ତା ପାର୍ଶ୍ବ ବିଲକୁ ଓଲଟି ପଡ଼ିଲା ବସ୍ । ଦୁର୍ଘଟଣାରେ ୨୦ ବସ୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ।
ମିଳିଥିବା ସୂଚନା ଅନୁସାରେ, ‘ଜୟ ରଘୁନାଥ’ ନାମକ ଘରୋଇ ବସ୍ କ୍ଷମତାଠୁ ଅଧିକ ଯାତ୍ରୀ ଧରି ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ମାତ୍ର ଗାଡ଼ିଟି ରାଣିତାଲ ନିକଟରେ ହୋଇଥିବା ବେଳେ ସମ୍ମୁଖରୁ ଦ୍ରୁତ ଗତିରେ ଏକ ବାଇକ୍ ଚାଲି ଆସିଥିଲା । ଉକ୍ତ ସମୟରେ ବସଟିର ବେଗ୍ ବି ଅଧିକ ଥିଲା । ଡ୍ରାଇଭର ତାହାକୁ ନିୟନ୍ତ୍ରଣ କରି ପାରି ନ ଥିଲେ । ଫଳରେ ଗାଡ଼ିଟି ବିଲରେ ପଶି ଓଲଟି ଯାଇଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାଣୀତାଲ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଯାତ୍ରୀଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟନୁ ତ୍ୱରାନ୍ୱିତ କରିଥିଲେ । ପୋଲିସ୍ ଏହି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।