Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର କାରଖାନା ପାଇଁ ନିଯୁକ୍ତି ପ୍ରକ୍ରିୟା ଯାଜପୁର କୁ ବିରୋଧ,ମୁଖ୍ୟମନ୍ତ୍ରୀ ଙ୍କୁ ବିଜେଡିର ଦାବିପତ୍ର

ସମ୍ବଲପୁର:ସମ୍ବଲପୁର କାରଖାନା ପାଇଁ ଯାଜପୁର ରେ ନିଯୁକ୍ତି ପ୍ରକ୍ରିୟା କୁ ଵିରୋଧ କରିଛି ସମ୍ବଲପୁର ବିଜୁ ଯୁବ ଜନତା ଦଳl ଦଳର ସଭ୍ୟମାନେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡି ଏକ ଦାବି ପତ୍ର ଯାଜପୁର ପରିଵର୍ତ୍ତେ ସମ୍ବଲପୁରରେ ନିଯୁକ୍ତି ପାଇଁ ସ୍ଥାନ ନିରୂପଣ କରିବାକୁ ଦାବି କରିଛନ୍ତି l
ଏଥିରେ ଲେଖା ଅଛି ରେଙ୍ଗାଲି ସ୍ଥିତ ଶ୍ୟାମ ଡି.ଆର୍.ଆଇ କମ୍ପାନୀ କର୍ତ୍ତୃପକ୍ଷ ସବୁ ବେଳେ ବାଦ ବିବାଦରେ ରହିବାକୁ ପସନ୍ଦ କରନ୍ତି ।କିଛି ଦିନ ପୂର୍ବେ ସରକାରୀ ଜମିକୁ ଜବରଦଖଲ କରି କମ୍ପାନୀ ସମ୍ପ୍ରସାରଣ କରୁଥିବା ସମୟରେ ସରକାରଙ୍କ ପକ୍ଷରୁ ଆଦେଶ ଜାରି ହେବା ପରେ କାମ ବନ୍ଦ କରି ସର୍ବ ସାଧାରଣରେ ନିନ୍ଦିତ ହୋଇଥିଲେ ।ହୀରାକୁଦ ଜଳଭଣ୍ଡାରରୁ ବେଆଇନ୍ ଭାବେ ପାଣି ଆଣି ପରେ ବିବାଦ ହେବାରୁ ଏହାକୁ ବନ୍ଦ କରିଥିଲେ ।
ରେଙ୍ଗାଲିର ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତା ଶ୍ୟାମ ଡି.ଆର୍.ଆଇ ଯୋଗୁଁ ପ୍ରଦୂଷିତ ହେବା ସହ ସାଧାରଣ ଲୋକେ ମୁଖ୍ୟ ରାସ୍ତା ଦେଇ ଯିବା ଆସିବା ସମୟରେ ନାନା ଅସୁବିଧା ଭୋଗ କରୁଛନ୍ତି।କାରଖାନା ସମ୍ମୁଖ ବିଜୁ ଏକ୍ସପ୍ରେସ ୱେର ମୁଖ୍ୟ ରାସ୍ତାରେ ଟ୍ରକ ଗୁଡ଼ିକ ବେଆଇନ୍ ପାର୍କିଂ ଯୋଗୁଁ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଦେଉଛି ।କମ୍ପାନୀର ଫ୍ଲାଏ ଆଶ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାଷ ତଥା ସାଧାରଣ ଜୀବନ ଯିବିକା ଉପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି l ଏହି ସମସ୍ୟାଗୁଡ଼ିକ ଉଦାହରଣ ମାତ୍ର ଏହି କମ୍ପାନୀ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନଙ୍କ ଜୀବନ ପ୍ରତି ଅଭିଶାପ ପାଲଟିଛି ବୋଲି ଦାବିପତ୍ର ରେ ଅଭିଯୋଗ ଅଣାଯାଇଛି l
ସବୁବେଳେ ସବୁ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଅସୁବିଧା ଭୋଗ କରୁଛନ୍ତି, କମ୍ପାନୀ ସ୍ଥାନୀୟ ପରିବେଶକୁ ଏକ ବିଷ ବଳୟରେ ପରିଣତ କରିବା ପରେ, ମାଗଣାରେ ଅଞ୍ଚଳର ଜମି-ପାଣି ବ୍ୟବହାର କରିବା ଆଶା ରଖୁଥିବା ଏହି କମ୍ପାନୀ କର୍ତ୍ତୃପକ୍ଷ ସୂଦୁର ଯାଜପୁରର “ବ୍ରାହ୍ମଣୀ” ନାମକ ଏକ ବେସରକାରୀ ହୋଟେଲରେ ନିଯୁକ୍ତି ପ୍ରକ୍ରିୟା କରୁଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶିତ କରିଛନ୍ତି ।ଖବର ଅନୁଯାୟୀ କମ୍ପାନୀ କର୍ତ୍ତୃପକ୍ଷ ଶତାଧିକ ଆଇ.ଟି.ଆଇ, ଡିପ୍ଲୋମା ଓ ଡିଗ୍ରୀଧାରୀ ଯୁବ ବର୍ଗଙ୍କୁ ନିଯୁକ୍ତି ଦେବାକୁ ମନସ୍ଥ କରିଛି, ଯାହା କି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ଖୁସିର ବିଷୟ ଥିଲା କିନ୍ତୁ କେଉଁ ପରିସ୍ଥିତିରେ ଏହି କମ୍ପାନୀ କର୍ତ୍ତୃପକ୍ଷ ଏହି ନିଯୁକ୍ତି ପ୍ରକ୍ରିୟାକୁ ସମ୍ବଲପୁରରେ ନ କରି ଯାଜପୁରରେ କରିବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ।ଶ୍ୟାମ ଡି.ଆର୍.ଆଇ. କମ୍ପାନୀ ସ୍ଥାନୀୟ ନିଯୁକ୍ତିକୁ କେବେ ମଧ୍ୟ ଗୁରୁତ୍ୱ ଦେଇ ନାହାଁନ୍ତି । ସମ୍ବଲପୁରରେ ବହୁ ଶିକ୍ଷିତ ବେକାର କୁଶଳୀ ଯୁବକ ଯୁବତୀ ଥିବା ବେଳେ ଯାଜପୁରରେ କାହିଁକି ନିଯୁକ୍ତି ପ୍ରକ୍ରିୟା ହେବ ସେ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏଣୁ ଏହି ବିଷୟକୁ ସହୃଦୟତାର ସହ ବିଚାର କରି ଯାଜପୁରରେ ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରିବା ସହ ସମ୍ବଲପୁରରେ ଆୟୋଜନ କରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଠାରେ ବିଜେଡି ଦାବୀ କରିଛି l ଅନ୍ୟଥା ଭବିଷ୍ୟତରେ ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ବାଧ୍ୟ ହୋଇ ଆଇନ୍ କାନୁନ୍ ହାତକୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଦାବିପତ୍ର ରେ ଚେତାବନୀ ଦିଆଯାଇଛି l ଏହାର ନକଲ ଶିଳ୍ପ ମନ୍ତ୍ରୀ, ଓଡ଼ିଶା ସରକାର,ବିଧାୟକ, ରେଙ୍ଗାଲି,ସାଂସଦ, ସମ୍ବଲପୁର,ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସମ୍ବଲପୁରଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି l ସମ୍ବଲପୁର ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ସହ ଜିଲ୍ଲା ଉପସଭାପତି ମଞ୍ଜୁ ଓରାମ, ଜିଲ୍ଲା ସମ୍ପାଦକ ରଙ୍ଗବଲ୍ଲଭ ନାଏକ, ଯୁବ ନେତା ସଞ୍ଜିବ ହୋତା, ଛାତ୍ର ସମ୍ପାଦକ କୁଞ୍ଜ ବିହାରୀ ଦୀପ୍, ଗୁରୁବାରୁ ଓରାମ, ସୁମନ୍ତ ମିର୍ଦ୍ଧା ପ୍ରମୁଖ ଏହି ସମୟ ରେ ଉପସ୍ଥିତ ଥିଲେ ।