Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଲମ୍ପିଆନ ଅମିତ ରୋହିଦାସଙ୍କୁ ରାଉରକେଲାରେ ବିପୁଳ ସମ୍ବର୍ଦ୍ଧନା

ସମ୍ବଲପୁର:ପ୍ଯାରିସ ଅଲିମ୍ପିକ-୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରି ସ୍ବଦେଶ ପ୍ରତ୍ଯାବର୍ତ୍ତନ କରିବା ପରେ, ଓଡିଶାର ଭୁବନେଶ୍ବରରେ ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କରାଯିବା ସହିତ ଖେଳରେ ଅଂଶଗ୍ରହଣ କରିଥିବା ପ୍ରତ୍ଯେକ ଖେଳାଳୀଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା। ଏହି ଭାରତୀୟ ହକି ଦଳରେ ଓଡିଶାରୁ ପ୍ରତିନିଧିତ୍ବ କରି ଉତ୍ତମ ପ୍ରଦର୍ଶନ କରିଥିବା ଅମିତ ରୋହିଦାସଙ୍କୁ ରାଜ୍ୟ ସରକାର ୪ କୋଟି ଟଙ୍କା ଦେଇ ପୁରସ୍କୃତ କରିଥିଲେ। ଆଜି ରାଉରକେଲା ଠାରେ ଅମିତ ରୋହିଦାସଙ୍କୁ ବିପୁଳ ଜନ ସମର୍ଥନ ସହ ଏକ ରୋଡ ଶୋ’ର ଆୟୋଜନ କରାଯାଇଥିଲା। ଏହି ରୋଡ ଶୋ ହକି ଛକ ଠାରୁ ପାନପୋଷ ଗାନ୍ଧୀ ଛକ ପର୍ଯ୍ୟନ୍ତ କରାଯାଇଥିଲା। ଏହି ରୋଡ ଶୋ କାର୍ଯ୍ଯକ୍ରମରେ ସ୍ପୋର୍ଟସ ହଷ୍ଟେଲର ୧୪୦ ଜଣ ଛାତ୍ରଛାତ୍ରୀ ଭାଗ ନେବା ସହିତ ହକି ଆସୋସିଏସନର ୫୦ ଜଣ ଅଭିଜ୍ଞ ଖେଳାଳୀ ଭାଗ ନେଇଥିଲେ। ଅପରାହ୍ନ ୪ଟା ୩୦ ସମୟରେ ଛେଣ୍ଡ କଲୋନୀ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାରମାସ୍ଯୁଟିକାଲ ସାଇନ୍ସ ଛକଠାରୁ ଏକ ରାଲ୍ଲିର ଆୟୋଜନ କରାଯାଇଥିଲା। ଏହି ରାଲ୍ଲି କେଏମଆଇପିଏସ ଛକରୁ କଳିଙ୍ଗ ବିହାରର ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇ ୫ଟା ୩୦ ସମୟରେ ଶେଷ ହେବା ପରେ, ସ୍ପୋର୍ଟସ ହଷ୍ଟେଲ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଡେପୁଟି ଡାଇରେକ୍ଟର ଅଫ୍ ସ୍ପୋର୍ଟସ ସାଇଲାସ୍ତୁର ଟପ୍ପୋ ଏବଂ ପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଓ ଓଡିଶା ଭେଟେରାନ୍ ହକି ଆସୋସିଏସନ ସମ୍ପାଦକ ଜେମ୍ସ କୁଜୁର ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ଯାରିସ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଅଲମ୍ପିଆନ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ବ୍ରୋଞ୍ଜ ପଦକ ବିଜେତା ଅଲମ୍ପିଆନ ଅମିତ ରୋହିଦାସ ପ୍ଯାରିସ ଅଲମ୍ପିକରେ ନିଜର ଅଭିଜ୍ଞତା ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହାର ଠିକ୍ ପରେ ଅଲିମ୍ପିଆନ୍ ଲାଜାରୁସ୍ ବାର୍ଲା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ତର୍ଜାତୀୟ ଖେଳାଳୀ ଷ୍ଟାଲିନ୍ ଭିକ୍ଟର ମିଞ୍ଜ, ଅନ୍ତର୍ଜାତୀୟ ଆଥଲେଟ ନିଖିଳ କଳାକାର ପ୍ରଧାନଙ୍କ ସମେତ କୁଆଁରମୁଣ୍ଡା ସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରଦୀପ ଖେସ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ଆଥଲେଟମାନଙ୍କୁ ସାକ୍ଷାତ କରିବା ବ୍ରୋଞ୍ଜ ପଦକ ବିଜେତା ଅଲମ୍ପିଆନ ଅମିତ ରୋହିଦାସ ସୁନ୍ଦରଗଡ ଅଭିମୁଖେ ଯାତ୍ରା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ