ଭୁବନେଶ୍ବର: ଏଣିକି ଜଙ୍ଗଲରେ ବୁଲିବେ ସନ୍ଧାନୀ କୁକୁର । ଓଡ଼ିଶାରେ ଥିବା ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବ ସନ୍ଧାନୀ କୁକୁର । ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବେଟ୍ ବମ୍ ବା ଶିକାର ପାଇଁ ପକାଯାଉଥିବା ବମର ସନ୍ଧାନ କରିବେ ଏହି କୁକୁର । ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ଟି ବନ୍ୟପ୍ରାଣୀ ବନଖଣ୍ଡରେ ୧୦ଟି ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନିୟୋଜିତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି । ଏହି ୫ ବନଖଣ୍ଡ ହେଲା ଶିମିଳିପାଳ, ସାତକୋଶିଆ, ଡେବ୍ରିଗଡ଼, ହିନ୍ଦୋଳ ଓ ଆଠଗଡ଼ ।
ଏଥିପାଇଁ ସର୍ବଭାରତୀୟ ସ୍ତରରେ ଟେଣ୍ଡର ଆହ୍ୱାନ କରାଯିବ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏଥିରେ ସାମିଲ୍ ହୋଇ ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କରିବେ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି ।