ଭୁବନେଶ୍ବର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର । ଏହାସହ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆହୁରି ଅଧିକ ଉତ୍ସାହ ଦାୟକ ହେବ ସେମାନଙ୍କ ଭ୍ରମଣ । କାରଣ ଏବେ ନନ୍ଦନକାନନରେ ଅଧିକ ଜିରାଫ ସମେତ ଫିସିଂ କ୍ୟାଟ୍, ଗ୍ରୀନ୍ ଇଗୁଆନା, ସ୍ପୁନ୍ ବିଲ୍ସ ଓ ୱାଟର ମନିଟର୍ ଲିଜାର୍ଡ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଓ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି । ଏହି ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଛନ୍ତି ୨ଟି ଜିରାଫ, ୨ଟି ଫିସିଂ କ୍ୟାଟ୍, ୮ଟି ଗ୍ରୀନ୍ ଇଗୁଆନା, ୨ଟି ସ୍ପୁନ୍ ବିଲ୍ସ ଚଢେଇ ଓ ୬ଟି ୱାଟର ମନିଟର୍ ଲିଜାର୍ଡ ।
ସେହିଭଳି ନନ୍ଦନକାନନରୁ ଗୋଟିଏ ବାଘ, ଦୁଇଟି ସିଂହ, ୨ଟି ହିମାଳୟାନ୍ କଳା ଭାଲୁ, ୨ଟି ହିପ୍ପୋ ଆଦି ଆଲିପୁର ଚିଡିଆଖାନାକୁ ପଠାଯିବ । ପ୍ରଥମ ପର୍ଯ୍ୟାୟରେ ଏହିସବୁ ପ୍ରାଣୀ ଅଦଳବଦଳ ହୋଇଛି । ନନ୍ଦନକାନନକୁ ନୂଆ ପ୍ରାଣୀ ଆସିଥିବା ଖବର ଶୁଣି ଜୀବଜନ୍ତୁ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହିତ ପରିଲକ୍ଷିତ ହୋଇଛି । ଫଳରେ ନନ୍ଦନକାନନରେ ଆହୁରି ନୂଆ ନୂଆ ଜୀବଙ୍କୁ ଦେଖିବାର ସୁଯୋଗ ମିଳିବ ବୋଲି ପର୍ଯ୍ୟଟକ କହିଛନ୍ତି ।