ବରଗଡ଼-ନୁଆଁପଡା ହେବ ନୁଆଁ ରେଳପଥ:ପଦ୍ମପୁର ବାସୀଙ୍କୁ ସାଂସଦଙ୍କ ନୂଆଁଖାଇ ଭେଟି, ଛୁଟୁଛି ଶୁଭେଚ୍ଛା


ସମ୍ବଲପୁର /ବରଗଡ଼:ପ୍ରଦୀପ ପୁରୋହିତ ସାଂସଦ ଭାବରେ ଶପଥ ଗ୍ରହଣ ଦିନ ଠାରୁ ଅନବରତ ପ୍ରୟାସ ଫଳରେ ପଦ୍ମପୁର ଅଂଚଳବାସୀ ଙ୍କ ଦୀର୍ଘଦିନର ସ୍ବପ୍ନ ଆଖି ଆଗରେ ପୂରଣ ହେବାକୁ ଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୃସିଂହନାଥ ରେଳ ପ୍ରକଳ୍ପ । ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି ଯେ, ୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨୯୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମହାପ୍ରଭୁ ନୃସିଂହନାଥଙ୍କ ପୀଠ , ବିଶ୍ବ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ମିଳୁଥିବା ଅଂଚଳ ଓ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ଏହି ରେଳପଥ ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ରେଳପଥ ପଶ୍ଚିମ ଓଡ଼ିଶାର ତିନି ପିଢ଼ିର ଲୋକଙ୍କର ସ୍ବପ୍ନ ଥିଲା । ଏବେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏହା ପଶ୍ଚିମ ଓଡ଼ିଶା ତଥା ବରଗଡ଼,ପଦ୍ମପୁର, ବିଜେପୁର ଅଂଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନୂଆଁଖାଇ ଭେଟି ବୋଲି ପ୍ରଦୀପ କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ରେଲମନ୍ତ୍ରୀଙ୍କୁ ଭେଟି ଏନେଇ ସଂପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ପଶ୍ଚିଓ ଓଡ଼ିଶାର ଆର୍ଥିକ, ବ୍ୟାବସାୟିକ ତଥା ବାଣିଜ୍ୟିକ ବିକାଶ ପାଇଁ ଏହି ରେଳପଥ ଲାଇଫଲାଇନ୍ ସାବ୍ୟସ୍ତ ହେବ ବୋଲି ସେ ଦାବିପତ୍ରରେ ଦର୍ଶାଇଥିଲେ । ପଦ୍ମପୁର ଉପ-ନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନ ବେଳେ ଏହି ରେଳ ପ୍ରକଳ୍ପ ପାଇଁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।ଆଜି ଏହି ରେଳ ପ୍ରକଳ୍ପ କୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ଯୋଗୁଁ ପଦ୍ମପୁର ଅଂଚଳ ର ବିଭିନ୍ନ ସଂଗଠନ ତରଫରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।