ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ


ଅନୁଗୁଳ: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଧାଉରା ପାଲି ଗାଁରେ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ ଘଟିଛି । ମୃତ ଶ୍ରମିକ ଦ୍ବୟ ହେଲେ ବଇଦା ଗାଁର ଆର୍ତ୍ତତ୍ରାଣ ମିର୍ଦ୍ଧା ଏବଂ ରେଙ୍ଗାଲବେଡ଼ା ଗାଁର ରିନା ମହାର ।

ଉଭୟ କାମ କରିବାକୁ ଗତକାଲି ଧାଉରାପାଲି ଗାଁକୁ ଯାଇଥିଲେ । ସେଠାରେ ସେମାନେ ଜଣେ ଶିକ୍ଷକଙ୍କ ଘରେ ପାଇଖାନା ନୂତନ ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିଲେ । ଟାଙ୍କି ଭିତରକୁ ଯାଇ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କୁ ଅଣ ନିଃଶ୍ୱାସ ଲାଗିବାରୁ ଚିତ୍କାର କରିଥିଲେ । ପରେ ସେମାନେ ପାଇଖାନା ଟାଙ୍କି ଭିତରେ ବେହୋସ ହୋଇଯାଇଥିଲେ ।

ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଶ୍ରମିକମାନେ ଆଖପାଖ ଲୋକଙ୍କୁ ଡାକିଥିଲେ । ଏଥିସହ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । କିଶୋରନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।