ସମ୍ବଲପୁର:ଯୁଯୋମୁରା ବ୍ଲକ୍ ବିଭାଜନ ଦୀର୍ଘ ଦିନର ଦାବି ହୋଇଥିବା ବେଳେ ଏହାକୁ ନେଇ ସରକାର କିନ୍ତୁ ନୀରବଦ୍ରଷ୍ଟା ସାଜିଛନ୍ତି l
ସାମାଜିକ,ଭୌଗଳିକ, ଦୂରତା, ଗମନାଗମନ ସମସ୍ୟା ସବୁ ଦୃଷ୍ଟିକୁ ନେଇ ଯୁଯୋମୁରା ଯୋନ-୧ କୁ ନେଇ ସ୍ୱତନ୍ତ୍ର ବ୍ଲକ୍ ଗଠନ ପାଇଁ ଆଜକୁ ୨୦ ବର୍ଷ ଧରି ଦାବି ହୋଇ ଆସୁଛି l ଏପରିକି ଯୁଯୋମୁରା ପଂଚାୟତ ସମିତି ବୈଠକରେ ମଧ୍ୟ ଏନେଇ ବାରମ୍ବାର ଦାବି ଉପସ୍ଥାପନା କରାଯାଇ ପ୍ରସ୍ତାବ ନିଆଯାଇଛି l କିନ୍ତୁ ଏଭଳି ପ୍ରସ୍ତାବ ନେଇ ବ୍ଲକରୁ ଆଗକୁ ଯାଇପାରୁନଥିବା କାରଣରୁ ପଡିଆବାହାଲ ସ୍ୱତନ୍ତ୍ର ବ୍ଲକ ଦାବି ଦାବିରେ ରହିଯାଇଛି l ବାହାମ, ଡଙ୍ଗରପଡା,କବରାପାଲି, ଟାମ୍ପରଗଡ,କୁକୁଡାପାଲି,ଜୟନ୍ତପୁର, ଘେନୁପାଲି,ନୂଆଁବରଙ୍ଗାମାଲ ମେଘପାଳ,ସହିତ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ୍ ଓ ସମିତି ସଦସ୍ୟଙ୍କ ସହିତ ଜିଲ୍ଲାପରିଷଦ ସଦସ୍ୟ ମାନେ ମଧ୍ୟ ଦାବି ପଛରେ ଯୌକ୍ତିକତା ରହିଥିବା ନେଇ ଦାବି କରି ଆସୁଛନ୍ତି । ଏପରିକି ପ୍ରଶାସନିକ ଦୃଷ୍ଟିକୁ ନେଇ ମଧ୍ୟ ଦାବିର ଯଥାର୍ଥତାକୁ ପ୍ରଶଶାସନିକ ଅଧିକାରୀ ମାନେ ଏହାକୁ ସ୍ୱୀକାର କରୁଥିଲେ ସୁଦ୍ଧା ଯଥାର୍ଥ ଦାବି ଆଗକୁ ବଢିପାରୁନଥିବା ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛିl ପଡିଆବାହାଲ ଓ ଯୁଯୋମୁରା ଉଭୟ ୨ ଟି ଭିନ୍ନ ଦିଗ ଓ ୬୦ ରୁ ଉର୍ଦ୍ଧ୍ବ କିଲୋମିଟର ପଡୁଥିବା ଓ ସିଧାସଲଖ କୌଣସି ରାସ୍ତା ନଥିବାରୁ ସାଧାରଣତଃ ଯୁଯୋମୁରା ଯୋନ-୦୧ ର ଜନସାଧାରଣ ପାଇଁ ବିଭିନ୍ନ ସମସ୍ୟାର କାରଣ ପାଲଟିଛି । ସାମାଜିକ ଓ ଭୌଗଳିକ ଦୃଷ୍ଟି କୋଣରୁ ମଧ୍ୟ ଯୁଯୋମୁରା ଏହି ଅଞ୍ଚଳପାଇଁ ଏକ ଅନ୍ତରାୟ ସୃଷ୍ଟି କରୁଥିବା ନେଇ ପୂର୍ବତନ ବିଧାୟକ ଇଂ.ରୋହୀତ ପୂଝାରୀଙ୍କ ନିକଟରେ ଅଞ୍ଚଳର ବହୁ ବ୍ୟକ୍ତି ଯୁକ୍ତି ଉଠାଇ ସରକାରଙ୍କ ଠାରେ ପ୍ରସ୍ତାବ ରଖିବାକୁ ଦାବି ଉଠାଇଥିଲେ ।ବର୍ତ୍ତମାନର ପଞ୍ଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ମଧ୍ୟ୍ୟ ପଡିଆବାହାଲ ବ୍ଲକ ପୁନଃଗଠନକୁ ନେଇ ପୂର୍ବରୁ ତାଙ୍କର ସକାରାତ୍ମକ ମତ ରହିଥିଲାl ଏ ସଂପର୍କରେ ଅଞ୍ଚଳର କେତେକ ନେତୃସ୍ଥାନୀୟ,ସାମାଜିକ କର୍ମୀ ଓ ଅଂଚଳ ବାସୀ ମଧ୍ୟ୍ୟ ବାରମ୍ବାର ଦାବି କରିବା ସହ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିକି ଏଭଳି ପ୍ରସ୍ତାବ ରଖିବାବେଳେ ଗୁଣୀ,ଜ୍ଞାନୀ ବୁଦ୍ଧିଜୀବୀ ସବୁ ମହଳରୁ ସମର୍ଥନର ସ୍ରୋତ ମଧ୍ୟ ବଢୁଥିବା ଲକ୍ଷ କରାଯାଇଛି । ଏପରିକି ଅତୀତରେ ଯୁଯୋମୁରା-୧ ର ସେହି ସମୟର ଜିଲ୍ଲା ପରିଷଦ ସଦସ୍ୟ ଜିଲ୍ଲା ପରିଷଦ ବୈଠକରେ ଯୁଯୋମୁରା ଜୋନ ୧କୁ ସହିତ ଜମନକିରା ବ୍ଲକ୍ ର କୁଲୁଣ୍ଡି,ଖରସନମାଲ ଓ ମୁଣ୍ଡେନପାଲି ପଞ୍ଚାୟତକୁ ନେଇ ସ୍ୱତନ୍ତ୍ର ବ୍ଲକ୍ ଦାବି ଉତ୍ଥାପନ କରିଥିଲେ । ଏହାପୁର୍ବରୁ ପଡିଆବାହାଲ ଠାରେ ଏକାଧିକ ବୈଠକ ବସି ଯୁଯୋମୁରା ଜୋନ-୧ ର ୭ ପଞ୍ଚାୟତ ସହିତ ମେଘପାଳ ପଞ୍ଚାୟତ ଓ ମାନେଶ୍ୱର ବ୍ଲକର ନୂଆଁ ତିହୁରା, ଜମନକିରା ବ୍ଲକ୍ର ମୁଣ୍ଡେନପାଲି, ଖରସନମାଲ,କୁଲୁଣ୍ଡି ପଞ୍ଚାୟତକୁ ମିଶାଇ ୧୩ ପଞ୍ଚାୟତର ଜନପ୍ରତିନିଧିଙ୍କ ସହିତ ଅଞ୍ଚଳର ବୁଦ୍ଧିଜୀବୀ ଙ୍କ ମିଳିତ ଦସ୍ତଖତ ଥାଇ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଥିଲା । ରାଜ୍ୟ ସରକାର ମଧ୍ୟ ଏଥିରେ ହଁ ମାରିଥିବା ବେଳେ ବ୍ଲକ ପୁନଃର୍ଗଠନ ହୋଇନଥିବାରୁ ଏଭଳି ପ୍ରସ୍ଥାବ ଫାଇଲ ଭିତରେ ରୁନ୍ଧିହୋଇ ପଡିଛି। ଯୁଯୋମୁରା ବ୍ଲକ୍ ବିଭାଜନ ନେଇ ବିଗତ ସମିତି ବୈଠକରେ ବ୍ଲକ ଅଧ୍ୟକ୍ଷା ମମତା ନାଏକ ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା,ଯୁଯୋମୁରା ଜୋନ୧ ର ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ ସହିତ ଅନ୍ୟନ୍ୟ ପଞ୍ଚାୟତର ଜନପ୍ରତିନିଧିମାନେ ମଧ୍ୟ ସମର୍ଥନ ଦେଇଥିଲେ । ଜୋନ-୦୧ ସହିତ ସ୍ଥାନୀୟ ଆଉ କିଛି ପଞ୍ଚୟାତକୁ ମିଶାଇ ସ୍ୱତନ୍ତ୍ର ବ୍ଲକ୍ ଗଠନ ଏକ ଲମ୍ବା ଦିନ ଦାବି ହୋଇଥିବାରୁ ଦଲମତ ନିର୍ବିଶେଷରେ ସମଗ୍ର ଜନତା ମଧ୍ୟ ଏହାକୁ ସମର୍ଥନ ଦେଉଥିବାରୁ ସରକାର ଏଦିଗରେ ପଦକ୍ଷେପ ନେବାକୁ ଦାବି ତୀବ୍ରତର ହେବାରେ ଲାଗିଛି l