ସବୁଠି ପ୍ରତିଷ୍ଠା ହେବ ସ୍ତନ୍ୟପାନ ପ୍ରକୋଷ୍ଠ


ଭୁବନେଶ୍ୱର:ସ୍ତନ୍ୟପାନ କରାଉଥିବା ମାଆ ଓ ଶିଶୁ ମାନଙ୍କ ପାଇଁ ମୋହନ ମାଝୀ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏଣିକି ଆଉ ମାଆ ମାନେ ତାଙ୍କ ଶିଶୁକୁ ସ୍ତନ୍ୟପାନ କରିବାରେ ସମସ୍ୟା ଭୋଗିବେ ନାହିଁ । ସେ ସରକାରୀ କାର୍ଯ୍ୟାଳୟ ହେଉ କି ଘରୋଇ ସଂସ୍ଥାଙ୍କ କାର୍ଯ୍ୟାଳୟ କିମ୍ବା ସର୍ବସାଧାରଣ ସ୍ଥାନ ସବୁଠି ସ୍ତନ୍ୟପାନ ପ୍ରକୋଷ୍ଠ ପ୍ରତିଷ୍ଠା କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ନିଷ୍ପତ୍ତି ନେଇଛି । ଏହି ବ୍ୟବସ୍ଥା ତତ୍କାଳ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ସରକାରଙ୍କ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନେକ ସମୟରେ ସ୍ତନ୍ୟପାନ କରାଉଥିବା ମହିଳାମାନେ ନିଜ ଛୁଆଙ୍କୁ ସ୍ତନ୍ୟପାନ କରାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ମହିଳା ଓ ଶିଶୁ ମାନେ ସମସ୍ୟାରେ ପଡ଼ନ୍ତି । ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ବଡ଼ ଆଉଟୁ ପାଉଟୁ ହୁଅନ୍ତି ମହିଳାମାନେ । ଡାକ୍ତରଖାନା, ବ୍ୟାଙ୍କ ଓ ବିଭିନ୍ନ କାର୍ଯ୍ୟାଳୟରେ ସମସ୍ୟାରେ ପଡ଼ନ୍ତି । ଏପରି ସମସ୍ୟାକୁ ନଜରରେ ରଖି ମୋହନ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି ।
ଏଣିକି ରାଜ୍ୟଠୁ ଜିଲ୍ଲା ପର୍ଯ୍ୟନ୍ତ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ତଥା ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଏପରି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରିବାକୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ରୀନା ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ, ସର୍ବସାଧାରଣ ସ୍ଥାନ, ଯଥା ପ୍ରମୁଖ ଛକ ଏବଂ ବସଷ୍ଟାଣ୍ଡ, ରେଲୱେ ଷ୍ଟେଶନ, ବିମାନବନ୍ଦର ଭଳି ସ୍ଥାନରେ ଏହି ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଉଛି । ଯାହା ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମହିଳା ସଂଗଠନ ଓ ସ୍ୱେଚ୍ଛାସେବୀ ସ୍ୱାଗତ କରିଛନ୍ତି ।