ସମ୍ବଲପୁର:ଦିର୍ଘ ଦିନ ର ଅନ୍ତରାଳ ପରେ ପୁଣି ଚର୍ଚ୍ଚା ରେ ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଗତକାଲି ଓଡ଼ିଶା ବିଧାନସଭାରେ ବିଧାୟକ କଳିକେଶ ସିଂଦେଓ ଙ୍କ ପ୍ରଶ୍ନ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉତ୍ତର ପରେ ଶାସକ ବିରୋଧୀ ମୁହାଁ ମୁହିଁ । କାଲି ଦିନତମାମ୍ ସମସ୍ତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମସ୍ତ ଉତ୍ସ ଗୁଡିକ ଯୁକ୍ତି ତର୍କ, ଆଲୋଚନା ପର୍ଯ୍ୟଲୋଚନା ପରିଲକ୍ଷିତ ହୋଇଥିଲା । ଏହାକୁ ନେ଼ଇ ରାଜ୍ୟ ରେ ଶାସନ ରେ ଥିବା ବିଜେପି ଦଳ ଓ ବିରୋଧ ରେ ଥିବା ବିଜେଡ଼ି ଦଳ ର ନେତା ଙ୍କ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା ।
ଏହି ପ୍ରସଙ୍ଗ ରେ ସମ୍ବଲପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ଉପରେ ଗର୍ଜିଛନ୍ତି ବିଜେପି ର ବଶିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ ଡ.ପ୍ରମୋଦ ରଥ ଓ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି । ସ୍ଥାନୀୟ ମହାନଦୀ କ୍ଳବ୍ ଠାରେ ଆହୁତ ଏହି ସାମ୍ୱାଦିକ ସମ୍ମିଳନୀରେ ସମ୍ବଲପୁର ଓକିଲ ସଂଘ ର ପୁର୍ବତନ ସଭାପତି ଡ.ପ୍ରମୋଦ ରଥ ବିରୋଧୀ ବିଜେଡ଼ି କୁ ଟାର୍ଗେଟ କରି କହିଥିଲେ ଯେ….
ରାଜ୍ୟ ରେ ଦିର୍ଘ ୨୪ ବର୍ଷ ଧରି ନିରକୁଂଶ ଭାବେ ଶାସନ କଲା ପରେ ମଧ୍ୟ ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ରେ ରାଜ୍ୟ ସରକାର କୌଣସି ସକାରାତ୍ମକ କିମ୍ବା ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ । ପ୍ରଥାମେ ପାଲ୍ କମିଶନ୍ ଓ ପରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଦେଇ ସମୟ ଗଡ଼େଇ ଚାଲିଥିଲେ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଦିନକୁ ଦିନ ଜୋର୍ ଧରିଲା ପରେ ବିଭିନ୍ନ ନିର୍ବାଚନ ସମୟରେ ଲୋକକୁ ଭୁଆଁ ବୁଲେଇବା ପାଇଁ ପରେ ଦୁଇ ତିନିଥର କେନ୍ଦ୍ର ସରକାର ଙ୍କ ପାଖକୁ ପତ୍ର ଲେଖିଥିଲେ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ କେନ୍ଦ୍ର ରୁ ବାର ବାର ଅନୁରୋଧ ପତ୍ର ଆସିଲା ପରେ ମଧ୍ଯ କେବେ ତା ପ୍ରତି କର୍ଣ୍ଣପାତ କରିନଥିଲେ । ଶେଷ ରେ ଯେତେବେଳେ ଦିର୍ଘ ପାଞ୍ଚ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟର ଏହି ଐତିହାସିକ ଆନ୍ଦୋଳନ ତାର ଚରମ ସୀମା କୁ ପହଞ୍ଚିଥିଲା ସେତେେଳେ ୨୦୨୨ ଡ଼ିସେମ୍ବର ୧୨ ତାରିଖ ରେ ଏକ କୁଚକ୍ରାନ୍ତ ଓ ଷଡଯନ୍ତ୍ର କରି ଏହି ଆନ୍ଦୋଳନକୁ ଭଣ୍ଡୁର କରିବାର ଅପଚେଷ୍ଟା କରିଥିଲେ । ଅନେକ ନିର୍ଦ୍ଦୋଷ ଆଇନଜୀବୀ ମାନଙ୍କୁ ଗିରଫ କରି ଅକଥନୀୟ ଅତ୍ୟାଚାର କାରୀ ଜେଲ୍ ରେ ପୁରେଇ ଦେଇଥିଲେ ।
ବିଜେଡ଼ି ବିଧାୟକ ଙ୍କୁ ଆଜି ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ମନେ ପଡ଼ିଲା କେମିତି..? ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଯେଉଁ ଉତ୍ତର ରଖିଥିଲେ ତାହା ମାନ୍ୟବର ସୁପ୍ରିମ କୋର୍ଟର ର ଆଦେଶ କୁ ଆଧାର କରି କହିଥିଲେ । ସରକାର ଙ୍କ ପକ୍ଷ ରଖି ସେ ଆଜି ବିଧାସଭାରେ କହିଛନ୍ତି ଜେ ଏହି ପ୍ରସଙ୍ଗ ସରକାର ଙ୍କ ବିଚାରଧୀନ ଅଛି । ବିରୋଧୀ ଦଳ ବିଜେଡ଼ି ର ନେତା ମନେ ଗଣମାଧ୍ୟମ ରେ ଭୁଲ ଓ ଭ୍ରମିତ ତଥ୍ୟ ରଖି ବିଜେପି ସରକର କୁ ବଦନାମ୍ କରିବାର ଘୃଣ୍ୟ ପ୍ରୟାସ କରୁଛନ୍ତି ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସତରେ ଯଦି ତତ୍କାଳୀନ ରାଜ୍ୟ ସରକାର ଙ୍କ ଆନ୍ତରିକତା ଥିଲା…
କାହିଁକି କେନ୍ଦ୍ର ର ବାର ବାର ଅନୁରୋଧ ପରେ ମଧ୍ଯ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଲେ ନାହିଁ..? ମାନ୍ୟବର ସୁପ୍ରିମ କୋର୍ଟ ଯେତେବେଳେ ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ପରେ ଆଉ ହାଇକୋର୍ଟ ର ଆବଶ୍ୟକତା ନାହିଁ ବୋଲି କହିଲେ, ତତ୍କାଳୀନ ରାଜ୍ୟ ସରକାର କାହିଁକି ଲାର୍ଜର ବେଞ୍ଚ ରେ ରିଭ୍ୟୁ ପାଇଁ ଆବେଦନ କଲେ ନାହିଁ..?
୨୦୧୩ ମସିହାରେ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦିର୍ଘ ଦିନ ଧରି ଚାଲିଥିବା ରିଲେ ଅନସନ ସମୟରେ ପୁର୍ବତନ ବିଧାୟକ ତଥା ଅପାରଗ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀ ଯେଉଁ ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଆନ୍ଦୋଳନକୁ ଭଣ୍ଡୁର କରିଥିଲେ ସେଇଟା ପ୍ରକୃତ ରେ ହେଉଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନର କଳା ଦିବସ ।
ସାମ୍ୱାଦିକ ସମ୍ମିଳନୀ ରେ ଉପସ୍ଥିତ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଥିଲେ ଯେ…
ଦୀର୍ଘ ୨୪ ବର୍ଷ ଧରି ବିଜେଡ଼ି ସରକାର ରାଜ୍ୟ ବାସୀ ଙ୍କୁ ଠକି ଆସିଥିଲା । ଦୁର୍ନିତି ଭ୍ରଷ୍ଟାଚାର ବ୍ୟଭିଚାର କରି ରାଜ୍ୟ ରାଜକୋଷ କୁ ଲୁଣ୍ଠନ କରି ଆସିଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶା ପ୍ରତି ସବୁ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲା । ଆଜି ଯେତେବେଳେ ରାଜ୍ୟ ଓଡ଼ିଶାବାସୀ ଏହାର ଉତ୍ତର ଭୋଟ ଜରିଆରେ ଦେଇ ଏମାନଙ୍କୁ ଗାଦିଚ୍ୟୁତ କରିଛନ୍ତି ଏମାନେ ନିଜର ମାନସିକ ସ୍ଥିତି କୁ ହରେଇ ବସିଛନ୍ତି । ବିଜେଡ଼ି ମୁଖପାତ୍ର ଗତକାଲି ଗଣମାଧ୍ୟମ ରେ କହିଥିଲେ ଯେ ଆମେ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିଲୁ ଓ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇଥିଲୁ । ଯାହାକି ସମ୍ପୂର୍ଣ୍ଣ ମିଛ, ଭିତ୍ତିହୀନ, ବିଭ୍ରାନ୍ତିକର ଓ ହାସ୍ୟାସ୍ପଦ ମନ୍ତବ୍ୟ । ପୁର୍ବତନ ରେଢାଖୋଲ ବିଧାୟକ ତଥା ପୁର୍ବତନ ଅପାରଗ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ପରାଜୟ ବରଣ କଲାପରେ ଯେଉଁ ହୀନ ଓ ଘୃଣ୍ୟ ରାଜନୀତି କରୁଛନ୍ତି ତାହା କୁ ମୁଁ ଦୃଢ଼ ଶବ୍ଦ ରେ ନିନ୍ଦା କରୁଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ର ଐତିହାସିକ ଆନ୍ଦୋଳନ ର କଲା ଦିବସ ୨୦୨୨ ଡ଼ିସେମ୍ବର ୧୨ ର ଅଘଟଣ ପରେ ସେ କେଉଁଠି ଥିଲେ..? ତାମିଲ ଗୁମସ୍ତା ଙ୍କ କାଠ କଣ୍ଢେଇ ସାଜିଥିବା ପୁର୍ବତନ ବିଧାୟକ ଈଂ.ରୋହିତ ପୂଜାରୀ ଙ୍କୁ ଲୋକେ ଆଜି ଗାଦିଚ୍ୟୁତ କଲା ପରେ ଆଜି ସମ୍ବଲପୁର ର ବିକାଶ, ମହାନଦୀ ସମସ୍ୟା, ହାଇକୋର୍ଟ ପ୍ରସଙ୍ଗ ରେ ସାମାଜିକ ଗଣମାଧ୍ୟମ ରେ ପୃଷ୍ଠା ପୃଷ୍ଠା ଲେଖୁଥିବା ଅପାରଗ ମନ୍ତ୍ରୀ ଶାସନ ରେ ଥିଲା ବେଳେ ଯଦି ଏହାର ୧୦% ବି ଚିନ୍ତା କରିଥାନ୍ତେ ଆଜି ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ରେ ବିକାଶ ହୋଇ ପାରିଥାନ୍ତା । ଏବେ ଏଇ କୁମ୍ଭୀର କାନ୍ଦଣା କୁ ଲୋକେ ଆଉ ସ୍ବୀକାର କରିବେ ନାହିଁ ବୋଲି ଶ୍ରୀ ବକ୍ସି କହିଛନ୍ତି ।
ସାମ୍ୱାଦିକ ସମ୍ମିଳନୀରେ ନିର୍ବାଚନ ସମୟରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଓ ଏମ୍ସ ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରତିଶ୍ରୁତି ର ସାମ୍ୱାଦିକ ଙ୍କ ପ୍ରଶ୍ନ ର ଉତ୍ତର ରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ କହିଥିଲେ ଯେ…
ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭଳି ଜଣେ ସଚ୍ଚୋଟ, କର୍ମଠ, ପରିଶ୍ରମୀ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଙ୍କୁ ଆମେ ସାଂସଦ ଭାବେ ପାଇଛୁ ଯେ କି କେନ୍ଦ୍ର ର ମୋଦୀ ସରକାର ରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ୱ ରେ ରହିଛନ୍ତି । ସେ ନିର୍ବାଚନ ସମୟରେ ଯେଉଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ନିଶ୍ଚିତ ଭାବରେ ସମୟାନୁଯାୟୀ ପୂରଣ ହେବ । ତାଙ୍କର ପ୍ରତିଶ୍ରୁତି ଓ କାର୍ଯ୍ୟଦକ୍ଷତା ଉପରେ ଆମର ଦୃଢ଼ ବିଶ୍ଵାସ ରହିଛି ଓ ଆପଣ ମାନେ ମଧ୍ଯ ଆଶ୍ବସ୍ତ ରୁହନ୍ତୁ । ଆସନ୍ତା ପାଞ୍ଚ ବର୍ଷ ରେ ତାଙ୍କ ନେତୃତ୍ୱରେ ସମ୍ବଲପୁର ଏକ ନୂତନ ଓ ବିଶେଷ ପରିଚୟ ଲାଭ କରିବ ।
ଆଜିର ସାମ୍ୱାଦିକ ସମ୍ମିଳନୀ ରେ ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡଙ୍ଗୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ରଞ୍ଜିତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।