ସମ୍ବଲପୁର: ବ୍ରାଉନ ସୁଗର ଚୋରାଚାଲାଣ ଅଭିଯୋଗରେ ସମ୍ବଲପୁର ଅବକାରୀ ପୋଲିସ ୨ ଜଣଙ୍କୁ ବୁଧବାର ଗିରଫ କରିଛି I ସେମାନଙ୍କ ଙ୍କ ଠାରୁ ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି I ଜବତ ସାମଗ୍ରୀର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ଅସିତ ମଲ୍ଲିକ ସୂଚନା ଦେଇଛନ୍ତି । ଏନେଇ ଅବକାରୀ ପୋଲିସ ୨୫୩/ ୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ, କଲିକତାରୁ ସମ୍ବଲପୁର ସହରକୁ ବ୍ରାଉନ ସୁଗର ଚୋରାଚାଲାଣ ହେଉଥିବା ଅବକାରୀ ପୋଲିସକୁ ସୂଚନା ମିଳିଥିଲା । ସୂଚନା ମୁତାବକ ଅବକାରୀ ଅଧିକାରୀ ଓ ପୋଲିସ ସେହି ସ୍ଥାନରେ ପୂର୍ବରୁ ଜଗି ରହିଥିଲେ । ବ୍ରାଉନ ସୁଗର ନେଇ ଆସୁଥିବା ଅଭିଯୁକ୍ତ ମାନେ ପୂର୍ବ ଷ୍ଟେସନରେ ଓହ୍ଲାଇ ସ୍କୁଟି ଗାଡି ନମ୍ବର( ଓଡି ୧୫ ଏନ୍ – ୪୭୯୧) ଯୋଗେ ସୁନାପାଲି ଅଞ୍ଚଳକୁ ଆସୁଥିଲେ । ତେବେ ଅବକାରୀ ପୋଲିସ ସେମାନଙ୍କୁ ମାଡି ବସିଥିଲା । ଏହି ଅଭିଯୋଗରେ ସୁନାପାଲିର ମହମ୍ମଦ ନାସିମ (୩୯) ଓ ଗେଙ୍ଗୁଟିପାଲିର ବିନୋଦ ସାମଲ (୩୧)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଉପ ଉପରୋକ୍ତ ସାମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତ ନାସିମଙ୍କ ନାମରେ ଏକାଧିକ ଅବକାରୀ ମାମଲା ରହିଛି । ବିଗତ ଦିନରେ ସୁନାପାଲି ଅଞ୍ଚଳରୁ ଅନେକ ଥର ବ୍ରାଉନ ସୁଗର ଜବତ ହୋଇଛି। ତେବେ ଏହି ଜବତ ସାମଗ୍ରୀର ପରିମାଣ ଓ ମୂଲ୍ୟ ସର୍ବାଧିକ ବୋଲି ଅବକାରୀ ପୋଲିସ ସୂଚନା ଦେଇଛି