ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ


ସମ୍ବଲପୁର: ସ୍ଥାନୀୟ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଗତ ତା:୦୪.୦୯.୨୦୨୪ ବୁଧବାର ଦିନ ସକାଳ ସାଢ଼େ ଦଶ ଘଟିକା ସମୟରେ ହୀରାକୁଦ ଗାନ୍ଧିନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା ଏବଂ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |
ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନ, ସମ୍ବଲପୁର ଜିଲ୍ଲା ଶାଖାର କର୍ମକର୍ତ୍ତା ଏବଂ ହିଣ୍ଡାଲକୋ ର ଅଧିକାରୀ ବୃନ୍ଦ ଯୋଗଦାନ କରି ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନର ଅପକାରିତା ସମ୍ୱନ୍ଧରେ ସମସ୍ତଙ୍କୁ ବୁଝାଇଥିଲେ | ପୂଜ୍ୟ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଣୀତ ନିଶା ନିବାରଣ ଆଇନ ୧୯୫୬ କୁ ଯଥାଶିଘ୍ର କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯିବା ପାଇଁ ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ |
ସୁସ୍ଥ ଜୀବନ ଯାପନ ସକାଶେ ସମସ୍ତ ପ୍ରକାର ମାଦକ ଦ୍ରବ୍ୟ ଓ ନିଶା ଠାରୁ ନିଜକୁ ଦୁରେଇ ରଖିବା ସଙ୍ଗେ ସଙ୍ଗେ ନିଜ ପରିବେଶକୁ ମଧ୍ୟ ନିଶାମୁକ୍ତ ରଖିବା ପାଇଁ କାର୍ଯ୍ୟ କରିବା ନିମନ୍ତେ ବିଦ୍ୟାମନ୍ଦିର ର ଦୁଇ ଶତାଧିକ ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଥିଲେ |
ଏହି କାର୍ଯ୍ୟକ୍ରମରେ ହୀରାକୁଦ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାଁ ବୃନ୍ଦଙ୍କ ସହ ଅଞ୍ଚଳର ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |