ଦୁଇ ଜଣଙ୍କୁ ଧକ୍କା ଦେବା ପରେ ନାଳରେ ପଶିଲା ପୋଲିସ ଗାଡ଼ି


କଟକ: ପୋଲିସ ଗାଡ଼ି ମାରିଲା ଧକ୍କା । ଦୁଇ ଜଣଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ପଶିଲା ନାଳରେ । ଏମିତି ଘଟଣା କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଘଟିଛି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଜଣେ ଜୋତା ମରାମତି ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ସାଇକେଲ ଆରୋହୀ ।
ପୋଲିସ ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ରାସ୍ତାକଡ଼ରେ ଥିବା ଜୋତା ମରାମତି ଦୋକାନୀ ଉପରେ ମାଡ଼ି ଯାଇଥିଲା । ପରେ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ନାଳକୁ ପଶି ଯାଇଥିଲା । ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ପୋଲିସ ନେଇଯାଇଥିବା ସୂଚନା ରହିଛି ।
ଗାଡ଼ିରେ ପୋଲିସ କର୍ମଚାରୀ ଥିଲେ କି ନାହିଁ ଜଣାପଡ଼ିନାହିଁ । ଗାଡ଼ିର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ।