ଲଣ୍ଡନ: ବିଦେଶରେ ବି ଉଡିବ ପତିତପାବନ ବାନା। ଲଣ୍ଡନରେ ନିର୍ମାଣ ହେବ ପ୍ରଥମ ଜଗନ୍ନାଥ ମନ୍ଦିର । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ୨୫ ମିଲିୟନ ଡଲାର ଅର୍ଥାତ ୨୫୦ କୋଟି ଦାନ କରିଛନ୍ତି । ଏହି ଓଡ଼ିଆ ବ୍ୟବସାୟୀ ଜଣକ ହେଉଛନ୍ତି ବିଶ୍ୱନାଥ ପଟ୍ଟନାୟକ । ଲଣ୍ଡନସ୍ଥିତ ଶ୍ରୀ ଜଗନ୍ନାଥ ସୋସାଇଟିକୁ ସେ ଏହି ଟଙ୍କା ଦାନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଲଣ୍ଡନସ୍ଥିତ ଫିନେଷ୍ଟ ଗ୍ରୁପ୍ ଅଫ କମ୍ପାନୀର ପ୍ରତିଷ୍ଠାତା ।
ଗତ ରବିବାର ଅକ୍ଷୟ ତୃତୀୟା ଅବସରରେ ଲଣ୍ଡନରେ ଶ୍ରୀ ଜଗନ୍ନାଥ ସୋସାଇଟି ପକ୍ଷରୁ ଶ୍ରୀଜଗନ୍ନାଥ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ୨୫୦କୋଟି ଟଙ୍କା ଦାନ ଦେଇଥିବା ଘୋଷଣା କରାଯାଇଥିଲା ।୨୦୨୪ ମସିହା ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆକଳନ କରାଯାଇଛି ।