ଏ ପୋଖରୀରୁ ସେ ପୋଖରୀରେ ପଶି ମାଛ ଖାଉଥିଲା କୁମ୍ଭୀର, ମାଡ଼ି ବସିଲେ ଗ୍ରାମବାସୀ ni


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଆତଙ୍କ । ମାସାଧିକ କାଳ ହେବ ଗାଁ ପୋଖରୀରେ ବୁଲୁଛି କୁମ୍ଭୀର । ବନ ବିଭାଗକୁ ଖବର ଦେଲେ ବି କୁମ୍ଭୀରଟିକୁ ଧରିବାକୁ କରାଗଲାଣି ଚେଷ୍ଟା । ଶେଷରେ ଜାଲ ପକାଇ କୁମ୍ଭୀରଟିକୁ କାବୁ କଲେ ଗ୍ରାମବାସୀ । ପ୍ରାୟ ୬ ଫୁଟର ଏକ ବଉଳା କୁମ୍ଭୀରକୁ ଗାଁ ଲୋକେ ଧରିବାକୁ ସକ୍ଷମ ହୋଇଛନ୍ତି ।
ସୂଚନାଯୋଗ୍ୟ, ପ୍ରାୟ ମାସେ ହେବ ନିକଟସ୍ଥ କେନାଲରୁ କୁମ୍ଭୀରଟି ଉଠି ଆସି ଗାଁ ପୋଖରୀରେ ପଶି ଯାଇଥିଲା । ଗୋଟିଏ ପୋଖରୀରୁ ମାଛ ଖାଇ ଶେଷ କରିବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଥିଲା । କେତେ ବେଳେ ଅତର୍କିତ ଆକ୍ରମଣ କରିବ ଭାବି ଗ୍ରାମବାସୀ ଭୟରେ କାଳାତିପାତ କରୁଥିଲେ ।
ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଲେ । ବନ କର୍ମଚାରୀ ଆସିଲେ । ହେଲେ, କିଛି ପଦକ୍ଷେପ ନନେଇ ଚାଲିଗଲେ । ଆଜି ସକାଳୁ କୁମ୍ଭୀରଟି ପୋଖରୀରେ ପହଁରୁ ଥିବା ବେଳେ ଗ୍ରାମବାସୀ ଜାଲ ପକାଇ ତାକୁ ଧରିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।
ଗ୍ରାମବାସୀ କହିଛନ୍ତି, କୁମ୍ଭୀରଟି ମାସକ ତଳେ କେନାଲରୁ ଉଠି ପୋଖରୀକୁ ଚାଲି ଆସିଥିଲା । ଏନେଇ ବନ ଅଧିକାରୀଙ୍କୁ ଖବର ଦେଇଥିଲୁ । ସେମାନେ ଆସି ବୁଲି ଯାଇଥିଲେ ବି କୌଣସି ସମାଧାନ କରି ନ ଥିଲେ । ଆମ ପିଲାମାନେ ଚଳପ୍ରଚଳ କରୁଥିବାରୁ ଆମେ ସବୁବେଳେ ଭୟଭୀତ ହୋଇ ରହୁଥିଲୁ । ଆଜି କୁମ୍ଭୀରଟି ପୋଖରୀରେ ପହଁରୁ ଥିବା ବେଳେ ଜାଲ ପକାଇ ଧରିଛୁ ।