ସମ୍ବଲପୁରୀ ଡେରା ସମ୍ବଲପୁରୀ ପ୍ରଚାର ପ୍ରସାରର କେନ୍ଦ୍ର ହେଉ


ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ ): ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ଜେଲଛକ ନିକଟସ୍ଥ ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରାର ବିକାଶ ନେଇ ଆଗାମୀ ଦିନରେ ହାତକୁ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମଞ୍ଚର ସମ୍ବଲପୁରୀ ସାହିତ୍ୟ ସଂଯୋଜକ ଡ.ସ୍ବୟଂପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ପ୍ରତିମୁର୍ତ୍ତୀ ସ୍ଥାପନ ପରେ ଏହାକୁ ସମ୍ବଲପୁରୀ ପାଇଁ ସ୍ବତନ୍ତ୍ର ଭାବେ ବିକଶିତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସମ୍ବଲପୁରୀ ଡେରା ପରିସରରେ ଅନ୍ୟ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନକରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁମୁଖୀ ହଲ ନିର୍ମାଣ, ସମ୍ବଲପୁରୀ ପାଠାଗାର ଏବଂ ପୁସ୍ତକ ସଂଗ୍ରହାଳୟ ନିର୍ମାଣ, ସମ୍ବଲପୁରୀ କପଡା ତଥା ହସ୍ତଶିଲ୍ପ ପ୍ରଦର୍ଶନୀ ପାଇଁ ପ୍ରଦର୍ଶନୀ ପଡିଆର ବିକାଶ, ସମ୍ବଲପୁରୀ ଦିନ ଆୟୋଜନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବା ସହ ସମ୍ବଲପୁରୀ ଡେରା ସମ୍ମୁଖ ଏବଂ ପଛ ପଟରେ ପାଚେରୀ ନିର୍ମାଣ ସହ ଗେଟ ବସାଇବାକୁ ମହାନଗର ନିଗମକୁ ଭେଟି ଦାବି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ ପାଇଁ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କ ସ୍ମୁତିରେ ସ୍ମୁତିଚିହ୍ନ ନିର୍ମାଣ କରିବାକୁ ବୈଠକର ପ୍ରସ୍ତାବ ଗୃହିତ କରାଯାଇଥିଲା । ବୈଠକରେ ବିଶିଷ୍ଟ ସମ୍ବଲପୁରୀ ସଙ୍ଗଠକ ଉତ୍ପନ୍ନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ତାଙ୍କୁ ମଞ୍ଚ ପକ୍ଷରୁ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ପୁସ୍ତକ ଏବଂ ୧୨ ବଛରେ ସମ୍ବଲପୁରୀ ଦିନ ସ୍ମରଣିକା ନେଇ ସ୍ବାଗତ କରାଯାଇଥିଲା । ଶ୍ରୀ ଭୋଇ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୁର୍ତ୍ତୀ ସ୍ଥାପନ ଏବଂ ସମ୍ବଲପୁରୀର ପ୍ରଚାର ପ୍ରସାର କ୍ଷେତ୍ରରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚର ଉଦ୍ୟମକୁ ପ୍ରଶଂସା କରିଥିଲେ । ତେବେ ଆଗାମୀ ଦିନରେ ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ସମ୍ବଲପୁରରେ ସ୍ଥାୟୀ ଭିତ୍ତିଭୁମୀର ଆବଶ୍ୟକତା ରହିଥିବା ଶ୍ରୀ ଭୋଇ ମତ ଦେଇଥିଲେ । ସମ୍ବଲପୁରୀ ଡେରାକୁ ସେ ଦିଗରେ ବିକଶିତ କରାଗଲେ ସମ୍ବଲପୁରୀ ପ୍ରେମୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଆକର୍ଷଣର କେନ୍ଦ୍ର ହୋଇ ପାରିବ ବୋଲି ସେ ମତ ଦେଇଥିଲେ । ଏହାସହ ଆଗାମୀ ଜନଗଣନା ସମୟରେ ସମ୍ବଲପୁରୀକୁ ଯେମିତି ଅଧିକରୁ ଅଧିକ ଲୋକ ନିଜର ମାତୃଭାଷା ଭାବେ ସୁଚିତ କରିବେ ସେ ନେଇ ଏବେଠାରୁ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ରେ ଲକ୍ଷ୍ମଣ ମଲ୍ଲିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସବୁ ସମ୍ବଲପୁରୀ ପ୍ରେମୀଙ୍କୁ ଏକଜୁଟ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଏହାପରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସାତ ଦିନିଆ ସମ୍ବଲପୁରୀ ସମ୍ମେଳନୀ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲେ । ଆସନ୍ତା ନଭେମ୍ବର ମାସରେ ସମ୍ବଲପୁରୀ ସମ୍ମେଲନୀ ଆୟୋଜନ ନେଇ ଆଳୋଚନା କରାଯାଇଥିଲା । ଏହି ଅବସରରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚରେ ନୁତନ ଭାବେ ସାମିଲ ହୋଇଥିବା ସଦସ୍ୟା ସଦସ୍ୟ ମାନଙ୍କୁ ନାରୀଶକ୍ତୀ ପକ୍ଷରୁ ସ୍ବାଗତ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ଭାରତୀ ସମାଜ ର ୨୪ ବର୍ଷ ପୁର୍ତି ଅବସରରେ ଆଗାମୀ ଦିନରେ ବିଶ୍ବ ଭାରତୀ ଅଧିବେଶନ ଉପରେ ସୁଚନା ଦେଇଥିଲେ । ଏହି ବୈଠକରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ୬୦ ରୁ ରୁ ଉର୍ଦ୍ଧ୍ୱ ସଦସ୍ୟା ସଦସ୍ୟ ସାମିଲ ହୋଇଥିଲେ ।