ଭରତପୁର ଥାନା ଥାର୍ଡ ଡିଗ୍ରୀ ମାମଲା: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ ବିଜେପିର କଟାକ୍ଷ


ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଘଟଣାରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାସହ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିଲେ । ତେବେ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଯଦି ନ୍ୟାୟିକ ତଦନ୍ତ କଥା କହୁଛ, ତା’ହେଲେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା ବୋଲି ପୂଜାରୀ ପ୍ରଶ୍ନ କରିଛନ୍ତି । ଆଗକୁ ସେ କହିଛନ୍ତି, ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା । ସେ ସବୁ ରିପୋର୍ଟ କେଉଁଠି ଅଛି ଜଣାନ୍ତୁ । ଗତ ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା । ନବୀନ ଆଦର୍ଶ ଥାନା କରୁଥିଲେ । ଆମ ସରକାର ଆଦର୍ଶ ପୋଲିସ ପାଇଁ ଚେଷ୍ଟା କରିବୁ । ନବୀନ ଯଦି ତାଙ୍କ ସମୟରେ ବୁଝୁଥାନ୍ତେ, ତା’ହେଲେ ଆଜି ନାରୀ ନିର୍ଯାତନା ହୋଇ ନଥାନ୍ତା । ନିଜେ ରାଜଧର୍ମ ପାଳନ କଲେନି, ଏବେ ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି ।
ସୂଚନାଯୋଗ୍ୟ, ଭରତପୁର ଥାନା ଘଟଣାକୁ ନେଇ ଆଜି ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ, ଥାନାରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ହାଜତରେ ଦିଆଯାଇଥିବା ନିର୍ଯାତନା ନିନ୍ଦନୀୟ । ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।