ବାଲିଗୁଡା ଉପଖଣ୍ଡରେ ନକଲି କନ୍ଧମାଳ ହଳଦୀ ଗୁଣ୍ଡ ସହ ବିଭିନ୍ନ ସାମଗ୍ରୀ ବିକ୍ରି : ବିଭାଗ ନୀରବ ଦ୍ରଷ୍ଟା


ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସମେତ ସମଗ୍ର ବାଲିଗୁଡା ଉପଖଣ୍ଡରେ ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ବୃଦ୍ଧି ଚାଲିଛି l ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିୟମିତ ଦୃଷ୍ଟି ଦେଉନଥିବାରୁ ଖାଉଟି ମହଲରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ବର୍ତ୍ତମାନ ପାର୍ବଣ, ପର୍ଯ୍ୟଟନ ତଥା ବର୍ଷା ଓ ଶୀତ ଋତୁକୁ ଆଖି ଆଗରେ ରଖି ବାଲିଗୁଡା ସମେତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି ଦିନ ପରେ ଶାରଦୀୟ ଛୁଟିରେ ପ୍ରବଳ ଭିଡ଼ ଜମିବ। ହେଲେ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକ ମାନେ କନ୍ଧମାଳରେ ଅମଳ ହେଉଥିବା ବିଶ୍ୱ ବିଖ୍ୟାତ ହଳଦୀ ସମେତ ମହୁ, ଝୁଣା, ଅଦା, ସୋରିଷ, ଗୋଲମରିଚ, କଫି, ଖୁଦ୍ରଦାନା ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ମାଣ୍ଡିଆ, ପାଳୁଅ ଆଦି କିଣିବାକୁ ବେଶ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ହଳଦୀ ଭଳି କିଛି କିସମର ସାମଗ୍ରୀ ଏଠାରେ ଉତ୍ପାଦନ କରାଯାଉଥିବା ବେଳେ କିନ୍ତୁ ତାକୁ ପ୍ରସ୍ତୁତି କରାଯିବା ପରେ ଗୁଣ୍ଡ ଆକାରରେ ବିକ୍ରୀ କରାଯାଉଛି। ଏକାଧିକ ରଙ୍ଗର ହଳଦୀ ଗୁଣ୍ଡ ବିକ୍ରି କରାଯାଉଥିବା ବେଳେ ଅନେକ ବ୍ୟବସାୟୀ ନକଲି ହଳଦୀ ଗୁଣ୍ଡ ଯାହାକି ବ୍ରହ୍ମପୁର ବଜାରରୁ ଅପମିଶ୍ରିତ ଗୁଣ୍ଡ ଆଣି କନ୍ଧମାଳର ପ୍ରତ୍ୟେକ ଅଞ୍ଚଳରେ ବିକ୍ରି କରାଯାଉଛି। ଏନେଇ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ ଦାୟିତ୍ୱରେ ଥିବା ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରକୃତ କନ୍ଧମାଳ ହଳଦୀ ବିକ୍ରି କରୁଥିବା ବ୍ୟବସାୟୀ ଓ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସେହିପରି ଦାରିଙ୍ଗବାଡି କଫି ବଗିଚା ସମ୍ମୁଖରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କଫି ସଂଗ୍ରହ କରିବାକୁ ପଦକ୍ଷେପ ନେଉ ନ ଥିବା ବେଳେ କଫି ପ୍ରସ୍ତୁତ ଓ ପ୍ୟାକିଂ କୌଣସି ସ୍ବୀକୃତିପ୍ରାପ୍ତ କମ୍ପାନୀ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କରାଯାଉ ନ ଥିବା ବେଳେ ଦାରିଙ୍ଗବାଡି କଫି ନାମରେ ଲେବୁଲ ମାରି ଅବାଧରେ ବିକ୍ରି କରାଯାଉଛି, ଯାହାକି ଖାଉଟି ମାନଙ୍କ ଖାଦ୍ୟ ନିରାପତ୍ତା ଉପରେ ବିପଦ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଉଛି। ଏହି କନ୍ଧମାଳ ଜିଲ୍ଲାରେ କେବଳ ହଳଦୀ ଛଡା ଅନ୍ୟ କୌଣସି ମସଲା ଜାତୀୟ ଯଥା ଡାଲଚିନି, ଗୁଜୁରାତି, ଜୁଆଣି, ଜୁଆଣିର ଫୁଲ, ଧଳା ସୋରିଷ, ଚେରୀ କୋଳି, ପୁସ୍ତା, ତେଜପତ୍ର, ଭଳି ସାମଗ୍ରୀ ଅମଳ ହେଉ ନ ଥିଲେ ସୁଦ୍ଧା କନ୍ଧମାଳ ଅଞ୍ଚଳର ନାମରେ ପ୍ୟାକିଂ କରି ବିକ୍ରି କରାଯାଉଛି । ଉକ୍ତ ଅଞ୍ଚଳରେ ଓଜନ ଓ ମାପ ବିଭାଗ ସହ ଖାଦ୍ୟ ନିରାପତ୍ତା ଓ ଏହାର ମାନଦଣ୍ଡକୁ ପରୀକ୍ଷା କରିବାକୁ ବିଭାଗ ବ୍ଲକ ସ୍ତରରେ ନ ଥିବାବେଳେ ଜିଲାସ୍ତରୀୟ ଅଧିକାରୀ ମାନେ ଏହାକୁ ଯାଞ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଫଳରେ ଜିଲା ତଥା ଜିଲା ବାହାରୁ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖାଦ୍ୟ ନିରାପତ୍ତା ନେଇ ବିପଦ ରହୁଛି। ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କୁହନ୍ତି, ସେ ଅନେକ ଥର ଦାରିଙ୍ଗବାଡି ବୁଲିବାକୁ ଆସିଛନ୍ତି ହଳଦୀ ଗୋଟିଏ ପ୍ରକାର ଆମେ ଜାଣିଛୁ କିନ୍ତୁ ଏହି ଅଞ୍ଚଳରେ କିଛି ବ୍ୟବସାୟୀ ମାନେ ଅପମିଶ୍ରିତ ହଳଦୀ ବିଭିନ୍ନ ଦରରେ ବିକ୍ରି କରୁଛନ୍ତି। ସେଠାକାର ଜନଜାତି କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଠିକ ଅଞ୍ଚଳର ଅମଳ ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି। ଏନେଇ କନ୍ଧମାଳ ଜିଲା ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ କର୍ତ୍ତୃପକ୍ଷ ସତ୍ୟବ୍ରତ ଷେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି, କେବଳ ହଳଦୀ ନୁହଁ ଏକାଧିକ ସାମଗ୍ରୀ ନକଲି ଆଶଙ୍କାରେ ଯାଞ୍ଚ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।