ଯୁବକଙ୍କୁ ହାଣି ବୁଦା ମୂଳରେ ଫିଙ୍ଗି ଫେରାର ହୋଇଗଲେ ଦୁର୍ବୃତ୍ତ


ଜଗତସିଂହପୁର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିବା ପରେ ଏକ ବୁଦା ମୂଳରେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ବର୍ତ୍ତମାନ ଯୁବକ ଜଣଙ୍କ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆସାହିରେ ।

ଆକ୍ରମଣର ଶିକାର ଯୁବକଙ୍କ ଘର ବଳରାମପୁରରେ ବୋଲି ଜଣାପଡିଛି । ଜଗନ୍ନାଥପୁର ଅଞ୍ଚଳର କିଛି ଯୁବକ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ଯୁବକ ଜଣକ ତାଳଦଣ୍ଡାରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ମୂମୁର୍ଷୁ ଅବସ୍ଥାରେ ରାସ୍ତାକଡ ବୁଦା ମୂଳେ ଫିଙ୍ଗି ଚାଲି ଯାଇଥିଲେ । ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାତଗୋଡ ବି ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବଳରାମପୁର ଗ୍ରାମର ଶତାଧିକ ଗ୍ରାମବାସୀ ଥାନାରେ ପହଞ୍ଚି କିଛି ସମୟ ହୋହଲ୍ଲା କରିଥିଲେ । ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି ।