Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ):ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଓଡିଶାର ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଏବଂ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ସମ୍ବର୍ଦ୍ଧନା ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୪ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡିଶାରୁ ଏହି ଦୁଇ ଜଣ କୃତୀ ଶିକ୍ଷକ ସ୍ଥାନ ପାଇବା ଆମ ପାଇଁ ଗର୍ବର ବିଷୟ। ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର ଅଭିନବ ଶିକ୍ଷା ପଦ୍ଧତିର ପ୍ରୟୋଗରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ବିଜ୍ଞାନ ଶିକ୍ଷାକୁ ସହଜ ଉପାୟରେ ପିଲାମାନଙ୍କୁ ବୁଝାଇ ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ସେହିଭଳି କଳା ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଆମୋଦପୂର୍ଣ୍ଣ ଶିକ୍ଷାଦାନ ସହିତ ଶିକ୍ଷାରେ ଜନ ଜାତି ସଂସ୍କୃତି ଓ କଳାକୁ ପ୍ରଦର୍ଶିତ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଉଭୟଙ୍କର ଏହି ଉଚ୍ଚ ଆଦର୍ଶ ଓ ଉଦ୍ୟମ ବଳରେ ସେମାନେ ଆଜି ଜାତୀୟ ସ୍ତରରେ ପ୍ରଶଂସନୀୟ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ଆମ ସରକାର ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା ଭିତ୍ତିଭୂମିର ସୁଦୃଢି କରଣ ପାଇଁ ବଜେଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ତରରେ ପିଲାମାନଙ୍କ ମୂଳଦୁଆକୁ ମଜବୁତ୍ କରିବା ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଖୋଲାଯିବ। ଏହି ବିଦ୍ୟାଳୟ ଗୁଡିକ ପ୍ରାଥମିକ ସ୍ତରରେ ପିଲାଙ୍କ ମେଧା ଶକ୍ତିର ପରିସ୍ଫୁଟନ କରି ସେମାନଙ୍କୁ ଉଚ୍ଚ ବିଦ୍ୟାଳୟକୁ ଛାଡିବ। ଆଗାମୀ ଦିନରେ ଏହା ଆମର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ।ସୂଚନାଯୋଗ୍ୟ ଯେ ଶ୍ରୀ ସନ୍ତୋଷ କୁମାର କର କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଥିବା ବେଳେ ଡ. ଦ୍ବିତି ଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ବିଲେସୁ ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ନାଗରିକ ଭାବେ ଗଢି ତୋଳିବା ହେଉଛି ଆମ ଶିକ୍ଷକ ସମାଜର ଦାୟିତ୍ବ। ସନ୍ତୋଷ କୁମାର କର ଏବଂ ଦ୍ବିତି ଚନ୍ଦ୍ର ସାହୁ ହେଉଛନ୍ତି ଶିକ୍ଷା ଦାନ କ୍ଷେତ୍ରରେ କାମ କରୁଥିବା ସମସ୍ତଙ୍କ ପାଇଁ ପ୍ରେରଣା।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ କାର୍ଯ୍ୟକ୍ରମରେ କୃତୀ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ ଧନ୍ୟବାଦ ଦେଇଥିଲେ।