ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ବୁର୍ଲା ଭୀମସାରଠାରେ ରକ୍ତଦାନ ଶିବିର, ୫୬ ୟୁନିଟ ରକ୍ତ ସଂଗ୍ରହ


ସମ୍ବଲପୁର: ସମାଜ ପ୍ରତି ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସ୍ଆର୍) ପକ୍ଷରୁ ମାଡୱାରୀ ଯୁବ ମଞ୍ଚ, ସମ୍ୱଲପୁରର ସହଯୋଗୀତାରେ ସୋମବାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର୍) ଠାରେ ସଫଳତାର ସହିତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା I ଏହି ରକ୍ତ ଦାନ ଶିବିରରେ, ଟିପିଡବ୍ଲୁଓଡିଏଲ ସମ୍ୱଲପୁର ବିଦ୍ୟୁତ୍ ମଣ୍ଡଳର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ I ଟିପିଡବ୍ଲୁଓଡିଏଲର ଅନେକ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିଥିଲେ । ଏହି ଶିବିର ମାଧ୍ୟମରେ ପାଖାପାଖି ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା I ତେବେ ଉକ୍ତ ୫୬ ଜଣଙ୍କ ମଧ୍ୟରୁ ୪୦ ଜଣ ପୁରୁଷ ଏବଂ ୧୬ ଜଣ ମହିଳା ରକ୍ତଦାତା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ପ୍ରଥମଥର ପାଇଁ ରକ୍ତଦାନ କରିଥିଲେ I ଏହି ଅବସରରେ ଟିପିଡବ୍ଲୁଓଡିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ବର୍ଷକ ମଧ୍ୟରେ ବିଭିନ୍ନ ବିଭାଗ କାର୍ଯ୍ୟାଳୟରେ ଏହି ପ୍ରକାର ରକ୍ତଦାନ ଶିବିର ସଫଳତାର ଆୟୋଜନ କରିଥିବାରୁ ଆମେ ଗର୍ବିତ । ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମକୁ ତୀବ୍ରତର କରାଯିବ ଏବଂ ସମାଜର ଦୁର୍ବଳ ଶ୍ରେଣୀ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ସିଏସ୍ଆର୍ ବଜେଟକୁ ବୃଦ୍ଧି କରିବ I