ବାରିପଦା: ଟ୍ରାଙ୍କୁଲାଇଜ ହେଲା ନରହନ୍ତା ହାତୀ । ୪ ଦିନ ହେବ ବାରିପଦା ବନାଞ୍ଚଳରେ ମଚାଇଥିଲା ଆତଙ୍କ । ୪ ଜଣଙ୍କୁ ଦଳି ଜୀବନ ନେଇଥିବା ବେଳେ ବହୁ ଲୋକଙ୍କୁ କରିଛି ଆକ୍ରମଣ । ଏଥିସହ ବହୁ ଘରଦ୍ୱାର ଭାଙ୍ଗି ଲୋକଙ୍କୁ ବେସାହାରା କରିଥିବା ବେଳେ ଫସଲ ଖାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି । ହାତୀ ଭୟରେ ଘରୁ ବାହାରୁ ନଥିଲେ ଅଞ୍ଚଳବାସୀ । ହାତୀଟିକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଥିଲା ବନ ବିଭାଗ । ଶେଷରେ ଗତକାଲି ରାତିରେ ହାତୀଟିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନ ବିଭାଗ ।
ବାରିପଦା ବନାଞ୍ଚଳର ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ ଜେସିବି ସାହାଯ୍ୟରେ ବାହାରକୁ ଅଣା ଯାଇଥିଲା । ହାତୀଟିକୁ କପିଳାସ ସ୍ଥିତ ବନ୍ୟ ଜନ୍ତୁ ଥଇଥାନ କେନ୍ଦ୍ରକୁ ନିଆଯିବ ବୋଲି ସୂଚନା ମିଳିଛି ।
ହାତୀଟି ପଶ୍ଚିମବଙ୍ଗ ପଟରୁ ଗୋଠଛଡା ହୋଇ ମୟୂରଭଞ୍ଜ ଜିଲ୍ଲା ସୀମା ଭିତରକୁ ଗତ ସୋମବାର ପଶି ଆସିଥିଲା । ହାତୀଟି ଚାରିଦିନ ଧରି ବାରିପଦା ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା । ଏହି ନରହନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିଲେ ।