ବାଲେଶ୍ବର: ଜଳେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ରାଜପଥରୁ ୨୦ ଫୁଟ୍ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଗତକାଲି ରାତିରେ ୬୦ ନମ୍ବର ଜାତୀୟ ରାଜପଥରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ୫୭ ଜଣ ତୀର୍ଥଯାତ୍ରୀ ‘କ୍ରିଷ୍ନା’ ନାମକ ବସରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିଲେ । ଗତକାଲି ରାତିରେ ବସ୍ଟି କୋଲକାତାରୁ ପୁରୀ ଅଭିମୁଖେ ବାହାରିଥିଲା । ମାତ୍ର ରାତି ପ୍ରାୟ ଗୋଟାଏ ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସ୍ଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଓଲଟି ପଡିଥିଲା ।
ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ୍, ଜଳେଶ୍ୱର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତୁରନ୍ତ ବସରୁ ଆହତ ୨୩ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୩ ପୁରୁଷ ଓ ଜଣେ ମହିଳା ଅଛନ୍ତି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ବାଲେଶ୍ୱର ପଠାଯାଇଛି । ମୃତକମାନେ ହେଲେ ରାଜେଶ କୁମାର ମିଶ୍ର, କମଳା ଦେବୀ ଯାଦବ, ରାଜ ପ୍ରସାଦ ଯାଦବ ଏବଂ ଶାନ୍ତାରାମ ଯାଦବ । ଅନ୍ୟ ସୁସ୍ଥ ଥିବା ଯାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି ।