ସମ୍ବଲପୁର:ସମଲେଇ ପ୍ରକଳ୍ପ ଉଦ୍ଘାଟନ ପରେ ଚଳିତ ବର୍ଷର ପ୍ରଥମ ଶାରଦୀୟ ନବରାତ୍ର ପୂଜା ବିସ୍ତୃତ ଓ ସୁନ୍ଦର ପରିସର ମଧ୍ୟରେ ଆୟୋଜିତ ହେବ । ଚଳିତଥର ମାନସିକ ଦୀପ ପ୍ରଜ୍ଜ୍ଵଳନ ୩ ତାରିଖ ପ୍ରତିପଦା ଠାରୁ ୧୨ ତାରିଖ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନଭୋଗ ବ୍ୟବସ୍ଥା ହୋଇଛି I ମନ୍ଦିର ପରିପାର୍ଶ୍ଵରେ ସୁନ୍ଦର ଆଲୋକ ସାଜସଜ୍ଜା କରାଯାଇଛି । ୩ରେ ବଲାଙ୍ଗିରର ପ୍ରାପ୍ତି ଆଚାର୍ଯ୍ୟଙ୍କ ଭଜନ ସନ୍ଧ୍ୟା, ୪ରେ ଛତିଶଗଡ଼ର ଦିଲୀପ ଷଡ଼ଙ୍ଗୀ ଓ ଦଳ ଜାଗରଣ (ଜଗରାତା) ପରିବେଷଣ କରିବେ। ୫ରେ ମଧ୍ୟପ୍ରଦେଶ ଜବଲପୁର ର ବାଲୀ ଠାକରେ ଓ ରିଜା ଖାନ୍ଙ୍କ ଜାଗରଣ ବେଶ୍ ଆକର୍ଷକ ହେବ । ୬ରେ ଇଣ୍ଡିଆନ ଆଇଡଲ ରିଟର୍ଣ୍ଣ ଗ୍ରୁପ ଭଜନ ସନ୍ଧ୍ୟା ପରିବେଷଣ କରିବେ । ମନ୍ଦିରର ପରମ୍ପରା ସ୍ବରୂପ ଅଷ୍ଟମୀ ୧୦ ତାରିଖରେ ଖଣ୍ଡାଧୂଆ ଓ ନବମୀ ଆଖଡ଼ା ପରିକ୍ରମା ହେବ। ଏହି ଦୁଇଦିନ ମନ୍ଦିରରୁ ଆଖଡ଼ା ଶୋଭାଯାତ୍ରା ବାହାରି ଦୁଇ ଭିନ୍ନ ଭିନ୍ନ ମାର୍ଗରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ବିଜୟା ଦଶମୀ ୧୨ ତାରିଖରେ ରଣଜିତା ମହୋତ୍ସବ ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାରେ ସୋନପୁର ଜିଲାର ଫୁଲମୁଠୀରୁ ଘଣ୍ଟ ପାର୍ଟି, ସମ୍ବଲପୁର ଜିଲା ପୁଟିଆପାଲିରୁ ସମ୍ପଦା, ସୁନ୍ଦରଗଡ଼ ଜିଲା ହେମଗିରରୁ କରମା, ପୁରୀରୁ ମେଢ଼ ନୃତ୍ୟ କରଞ୍ଜୁଲିରୁ ଦୁଇଦୁଲି ଓ କଲକାତାରୁ ଡାକ୍ ବାଜା ସାମିଲ ହେବେ। ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଶୃଙ୍ଖଳିତ ଓ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି।