ଭୁବନେଶ୍ବର: ରାଜଧାନୀରେ ମୂର୍ତ୍ତି ଚୋର । ବିଭିନ୍ନ ଧାତୁର ମୂର୍ତ୍ତି ଚୋରି କରି ଘରେ ଆଣି ଲୁଚାଉଥିଲେ । ସୂଚନା ପାଇଁ ପୋଲିସ ମାରିଲା ରେଡ୍ । ଆଉ ଘରୁ ମିଳିଲା ପୁଳା ପୁଳା ମୂର୍ତ୍ତି । ତାହା ପୁଣି ବିଭିନ୍ନ ଧାତୁରେ ନିର୍ମିତ । ବିଭିନ୍ନ ମନ୍ଦିରରୁ ଚୋରି କରି ଘରେ ଲୁଚାଉଥିଲେ । ମୂର୍ତ୍ତି ସଂଖ୍ୟା ବଢ଼ିଯିବାରୁ ମାଟି ତଳେ ବି ବହୁ ମୂର୍ତ୍ତିକୁ ପୋତି ଦେଇଥିଲେ । ଏପରି ଏକ ମୂର୍ତ୍ତି ଚୋରି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ୍ । ଆଉ ଏଥିରେ ୩ ଭାଇ ସମ୍ପୃକ୍ତ ଥିବା ଜଣାପଡ଼ିଛି ।
ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ଏହି ମୂର୍ତ୍ତି ଚୋରି ରାକେଟ୍ । ଗିରଫ ୩ ଭାଇହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସାରଦା ଆଚାର୍ଯ୍ୟ । ସେମାନେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲାର ମନ୍ଦିରରୁ ଚୋରି କରୁଥିଲେ ।
ଅଭିଯୁକ୍ତଙ୍କ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତମାନେ ସେମାନଙ୍କ ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୋଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି । ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୋଲିସ ଅଭିଯୁକ୍ତ ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟକୁ ଗିରଫ କରିଥିଲା । ଗତକାଲି ବଡ଼ ଭାଇ ସାରଦା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ ।