ଭୁବନେଶ୍ବର: ସରକାରଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟ ନିଷ୍ପତ୍ତରୁ ଓହରିଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରାସ୍ଥିତ ବାସଭବନରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ସଫଳ ହୋଇଛି ।
ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଓ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । ଲକ୍ଷ୍ମୀ ବସ୍ ଚଳାଚଳ ହେତୁ ସେମାନେ ବହୁ କ୍ଷତିର ସମ୍ମୁଖୀନ ହେଉଥିବାରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଯାତାୟତ କରୁଥିବା ଟାୟାର-ଟୁ AC ବସ୍ ସେବାକୁ ବନ୍ଦ କରିବାକୁ ଦାବି କରିଥିଲେ ।
ସରକାର ଏନେଇ କୌଣସି ନିଷ୍ପତ୍ତି ନନେଲେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଗତକାଲି ଚେତାବନୀ ଦେଇଥିଲେ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ । ଆଜି ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ସେମାନେ କହିଥିଲେ । ଏହାପରେ ଗତକାଲି ମନ୍ତ୍ରୀ ଆପୋଷ ଆଲୋଚନାରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ବୈଠକ ପାଇଁ ଆମନ୍ତ୍ରଣ କରିଥିଲେ ।
ଆଜି ବ୍ରହ୍ମପୁରରେ ପରିବହନ ମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା । ଦୀର୍ଘ ସମୟର ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କୁହାଯାଇଛି । ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରିଥିବା କହିଛନ୍ତି ।
ବୈଠକ ପରେ ମନ୍ତ୍ରୀ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ଶେଷ ହୋଇଛି । ଲକ୍ଷ୍ମୀ ବସ୍ ଚଳାଚଳ ହେତୁ କ୍ଷତି ହେଉଥିବା ସେମାନେ ଦାବି ରଖିଥିଲେ । ସେମାନଙ୍କ ଦାବିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଏବେ ଲକ୍ଷ୍ମୀ ବସ୍ର ଟାୟାର-ଟୁ AC ବସ୍ ଚଳାଚଳକୁ ସ୍ଥଗିତ ରଖୁଛୁ । ମାତ୍ର ଆମେ ନୂଆ ଲୋଗୋ, ନୂଆ ଅପରେସନ ଓ ନୂଆ ସ୍ୱରୂପରେ ଲକ୍ଷ୍ମୀ ବସ୍ର କାମ କରିବୁ । ଅତି ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ । ତେଣୁ ଏବେ ଉଭୟ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ବରଗଡ଼ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ କହିଛନ୍ତି, ଲକ୍ଷ୍ମୀ ବସ୍ର ଟାୟାର-୨ ପରିମିଟ୍ କିଛି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ବାତିଲ କରିବାକୁ ଦାବି କରିଥିଲୁ । ଏବେ ଆଉ ନୂଆ ପରମିଟ୍ ଇସ୍ୟୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ନ ଚଳାଇବାକୁ ଦାବି କରିଥିଲୁ । କାରଣ ଏହାଦ୍ୱାରା ଆମର ପ୍ରଭୂତ କ୍ଷତି ଘଟୁଥିଲା । ସରକାର ଆମ ଦାବି ମାନି ନେଇଥିବାରୁ ଆମେ ଆଜି ଡାକରା ଦେଇଥିବା ଆନ୍ଦୋଳନ ପ୍ରତ୍ୟାହାର କରୁଛୁ ।