ପାରିବାରିକ କଳହ: ସ୍ତ୍ରୀ ଓ ପୁତୁରାକୁ ଭୁଜାଲିରେ ହାଣିଲା ସ୍ବାମୀ


ପୁରୀ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଭୁଜାଲି ଆକ୍ରମଣରେ ସ୍ତ୍ରୀ ଓ ପୁତୁରା ଗୁରୁତର । ମେଡକାଲରେ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ । ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ । ପୋଲିସ ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁକୁ ଅଟକ ରଖି ପଚରାଉଚରା କରୁଛି ।

କାଳୁ ଶ୍ୱଶୁର ଘରେ ରହୁଥିଲେ । ଆଜି ସକାଳେ କୌଣସି କଥାକୁ ନେଇ ନିଜ ସ୍ତ୍ରୀ ସହ ତାଙ୍କର ବଚସା ହୋଇଥିଲା । ଏହି ବଚସା ଉଗ୍ର ରୂପ ନେଇଥିଲା । ପରେ କାଳୁ ଏକ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ସେହି ସମୟରେ କାଳୁଙ୍କ ଦେଢ଼ ଶାଶୁର ପୁଅ ଆସି ତାଙ୍କୁ ଅଟକାଇଥିଲା । କାଳୁ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ ।  ପୁତୁରାକୁ ମଧ୍ୟ ଆକ୍ରମଣ କରିଥିଲେ । କାଳୁଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହ କାଳୁଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ । ପୋଲିସ କାଳୁଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି ।