Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୁଆଁଦିଲ୍ଲୀ,(ରାଜାରାମଷଡ଼ଙ୍ଗୀ):ବୃତ୍ତିରେଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି। ମହମ୍ମଦ କାମରାନ୍ ବନାମ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ମାମଲାର ଶୁଣାଣି କରି ଓକିଲ ବୃତ୍ତିରେ ଥାଇ ସାମ୍ବାଦିକତା କରୁଥିବା ଆଇନଜୀବୀଙ୍କୁ ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ୍ ଜର୍ଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କଠୋର ଭାଷାରେ ତାଗିଦ୍ କରିଛନ୍ତି।
ଏହି ମାମଲାରେ ଆବେଦନକାରୀ ନିଜକୁ ଓକିଲ ଓ ସାମ୍ବାଦିକ ବୋଲି ଦର୍ଶାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି, ସେ ଓକିଲ ହେବେ ନଚେତ୍ ସାମ୍ବାଦିକ। ଆମେ ଏଭଳି ଦ୍ବୈତ ଭୂମିକାକୁ ଗ୍ରହଣ କରିବୁ ନାହିଁ। ଓକିଲାତି ଏକ ସମ୍ମାନଜନକ ବୃତ୍ତି। ସେ କଦାପି ନିଜକୁ ଜଣେ ମୁକ୍ତବୃତ୍ତି ସାମ୍ବାଦିକ ବୋଲି କହିପାରିବେ ନାହିଁ। ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରି ବିଚାରପତି ଓକା କହିଛନ୍ତି, ମୁଁ ତୁମର ବୃତ୍ତିଗତ ଅସଦାଚରଣକୁ ଜାଣିପାରୁନାହିଁ। ତୁମେ ନିଜକୁ ଆଇନଜୀବୀ କହୁଛ ଓ ସାମ୍ବାଦିକ ମଧ୍ୟ। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ନିୟମକୁ ଦେଖ। ଏଭଳି ଦ୍ବୈତ ବୃତ୍ତିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।