ସମ୍ବଲପୁର ଜିଲ୍ଲାସ୍ତରୀୟ କଳାଉତ୍ସବ: ସୃଜନ ବିକାଶ ନେଇ ଗୁରୁତ୍ୱ


ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ସମଗ୍ରଶିକ୍ଷା ସମ୍ବଲପୁର ତରଫରୁ ଜିଲ୍ଲା ସ୍ତରୀୟ କଳା ଉତ୍ସବ-୨୦୨୪ ସୃଜନ ବିକାଶ ନେଇ ଗୁରୁତ୍ୱ ଦିଆଯାଇଛି।ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ମନମୋହନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି I ଉଦ୍‌ଯାପନ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମିନାରାଣୀ ମଙ୍ଗଲ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ଅଧ୍ୟବସାୟ, ଅଦମ୍ୟ ୧ଜାତୀୟସ୍ତରରେ ସୁନାମ ଅର୍ଜନ କରିବାପାଇଁ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାଷଣ ମାଧ୍ୟମରେ ଆହ୍ବାନ ଦେଇଥିଲେ। ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଅନ୍ୟତମ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବାକୁ ଯାଇ ଏହି ଅନବଦ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଓଡିଶାର ଅପସୃୟମାଣ କଳାସଂସ୍କୃତି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରବର୍ତ୍ତୀ ପିଢୀକୁ ସଞ୍ଚରିତ କରାଯାଇପାରିବ ତା ଉପରେ ଗୁରୁତ୍ବାରୋପ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲୋକିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଲେଡିଲୁଇସ୍ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ଲୁହା ଓ ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ କରନ ଶର୍ମା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I ସମଗ୍ରଶିକ୍ଷା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍‌ସ୍ତରରୁ ୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ନୃତ୍ୟ, କଣ୍ଠ ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରାଙ୍କନ, ରଙ୍ଗମଞ୍ଚ, ପାରମ୍ପରିକ ଗଳ୍ପ କଥନ ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଗଣ ବରଗଡଠାରେ ହେବାକୁ ଥିବା କ୍ଷେତ୍ରୀୟ କଳା ଉତ୍ସବରେ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବେ I ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜିକା ଶ୍ରୀମତୀ ଅନୁପମା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମର ସଫଳ ରୂପାୟନରେ ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ଦୀପାଳି ଚୌଧୂରୀ, ପୁଷ୍ପଲତା ରାଉତରାୟ, ସୁଚିସ୍ମିତା ସାହୁ, ଚିତ୍ତରଞ୍ଜନ ଗଡତିଆ, ରଶ୍ମିତା ସ୍ପାଇଁ ପ୍ରମୁଖ ସହଯୋଗ କରିଥିଲେ। ଅସୀମ ପ୍ରଧାନ, ଦେବସ୍ମିତା ରାଉତ ଓ ଅବିନାଶ ସାହୁ ମଞ୍ଚପରିଚାଳନା କରିଥିଲେ।