ଆକାଶ ମାର୍ଗରୁ ଆଜି ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ବାତ୍ୟା ପ୍ରଭାବିତ ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବେ । ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ।

ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଦାନା ପରବର୍ତ୍ତୀ ସ୍ଥିତି ମୁକାବିଲା ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଅଞ୍ଚଳରେ ଆଶ୍ରୟ ସ୍ଥଳୀରେ ଆଉ ୭ ଦିନ ରହିପାରିବେ ଲୋକେ । ପ୍ରଭାବିତ ଅଞ୍ଚଳରେ ଏବେ ପାଣି ଜମିଛି, ଘର ଭାଙ୍ଗିଛି, ତେଣୁ ଲୋକେ ଆଶ୍ରୟସ୍ଥଳୀରେ ରହିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ରାଜ୍ୟରେ ୧ ଲକ୍ଷ ୭୫ ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଛି । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ ।

ତା’ପୂର୍ବରୁ ଆଜି ନିଜେ ଗ୍ରାଉଣ୍ଡକୁ ଓହ୍ଲାଇ ଆକାଶମାର୍ଗକୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବିଜୁଳି ସେବା ଆଜି ଅପରାହ୍ଣ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘର ଭଙ୍ଗା ଆକଳନ କରିବେ ରାଜସ୍ୱ ବିଭାଗ ଅଧିକାରୀ । ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘରର ତୁରନ୍ତ ମରାମତି କରାଯିବ । ସମ୍ପୂର୍ଣ୍ଣ ଭାଙ୍ଗିଥିବା ପରିବାରକୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି ।