ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଲଇଡା ଗ୍ରାମରେ ୧୯୧୪ ରେ ଜନ୍ମନେଇ ପୂର୍ଣଚନ୍ଦ୍ର ଭାଷାକୋଷ ପାଇଁ ସମ୍ବଲପୁରୀ ଶବ୍ଦ ସଂଗ୍ରହ କରିବା,ପଏରଛା ସତୀର କବି ଖଗେଶ୍ବର ସେଠଙ୍କ ସହ ମିଶି ସାହିତ୍ୟ ସମିତି ଗଢିବା,୧୯୪୦ ବେଳକୁ ଗଙ୍ଗାଧର ସାହିତ୍ୟ ପ୍ରଚାର ପାଇଁ ସଂଗଠନ କରିବା ଭଳି କାର୍ଯ କରି ନନ୍ଦକିଶୋର ପଟେଲ କରିଥିଲେ ସାହିତ୍ୟସେବା I ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ତାଙ୍କ କାବ୍ୟ ନ୍ରୁସିଂହ ନାଥ ସ୍ଥାନୀୟ ବୈଷିଷ୍ଟ୍ୟ ଜଣାଇବା ସହ ସମକାଳର ଚିତ୍ର ଦିଏ I ଶବ୍ଦ ସହ ସମ୍ବଲପୁରୀ ଶବ୍ଦର ବ୍ୟବହାର କବି ଙ୍କ ଶବ୍ଦ ସଂଯୋଜନା କୁଶଳତାକୁ ଜଣାଏ I ଏଭଳି ମାଟିର କଥା ଜାତିର କଥା କହିଥିବା ଜଣେ ଗ୍ରାମୀଣ କବି ଆଜି ମଧ୍ୟ ଆଲୋଚକ ଗବେଷକ ଙ୍କ ଆଖି ଆଢୁଆଳରେ ବୋଲି ବିଚାର ରଖିଥିଲେ ଗବେଷକ ସାହିତ୍ଯିକ ଡ.ଗୌରିଦାସ ପଧାନ । ଦୁତିକା ସାହୁ ମହା ବିଦ୍ୟାଳୟ ଲଇଡାର ଓଡ଼ିଆ ବିଭାଗ ଦ୍ବାରା ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଅନାଲୋଚିତ ପ୍ରତିଭା ନନ୍ଦକିଶୋର ପଟେଲ ଙ୍କ ବ୍ୟକ୍ତି ଜୀବନ ଓ ସାହିତ୍ୟିକ ଜୀବନ ଉପରେ ଆଲୋଚନା କରିଥିଲେ ଶ୍ରୀ ପଧାନ I ସାମ୍ବାଦିକ ହରିହର ନାଥ ନିଜ ସ୍ମରଣ ରୁ ନନ୍ଦ କିଶୋର ପଟେଲଙ୍କ ରେଂଗଲୋଇ ରହଣି କଥା,ସାମାଜିକ ସଂପର୍କ କଥା, ସାଂବାଦିକତା କଥା ଉପରେ ଆଲୋକପାତ କରିଥିଲେ I କବିପୁତ୍ର ଅଯୋଧ୍ୟା ପ୍ରସାଦ ପଟେଲ ଆଲୋଚନାରେ ଅଂଶ ଗ୍ରହଣ କରି ପିତା ଙ୍କ ପାରିବାରିକ ଜୀବନ ଲୋକ ସଂପର୍କ ଉପରେ ଆଲୋଚନା କରିଥିଲେ I ତାଂକ ଅପ୍ରକାଶିତ ରଚନା ପ୍ରକାଶିତ ହେଲେ କବିଂକ ପ୍ରତି ଉପଯୁକ୍ତ ଶ୍ରଦ୍ଧାଂଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା I ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ଜୟ ନାରାୟଣ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ଅଧ୍ୟାପକ ବିଶ୍ବନାଥ ପଟେଲ କାର୍ଯକ୍ରମକୁ ସଂଯୋଜନା କରିଥିଲା I ପ୍ରାରମ୍ଭିକ ସଙ୍ଗୀତ ଅଙ୍କିତା ତଣ୍ଡିଆ ଗାନ କରିଥିଲେ. I ଓଡ଼ିଆ ଅଧ୍ୟାପକ ପ୍ରଶାନ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।