ସମ୍ବଲପୁର: ଦୀର୍ଘ ବର୍ଷ ଧରି ସୁନା ଅଳଙ୍କାର ସଫାକରିବା ନାମରେ, ଲୋକଙ୍କୁ ଠକି ସୁନା ଅଳଙ୍କାର ଚୋରି କରିବା ଗ୍ଯାଙ୍ଗକୁ ରାଉରକେଲା ପୋଲିସ୍ ୯ ଜଣ ଠକଙ୍କୁ ଗିରଫ କରିବା ସହିତ ୨୧ଟି ଘଟଣାରେ ଚୋରି ଯାଇଥିବା ୧୦୩. ୩ ଗ୍ରାମ୍ ସୁନା ଅଳଙ୍କାର ସହ ଗୋଟିଏ ଜେଏଚ୍ – ୧୭ଏ ୮୭୭୭ ହୋଣ୍ଡା ହରନେଟ୍ ମୋଟର ସାଇକେଲ, ବି ଆର – ୧୦ପି ୫୨୬୪ ଟିଭିଏସ୍ ଆପାଚି ମୋଟର ସାଇକେଲ, ଜେ ଏଚ୍ – ୧୭ଜେଡ୍ ୯୨୯୩ ୟାମା ଏଫଜେଡ୍ଏସ୍ ମୋଟର ସାଇକେଲ, ୭ଟି ସ୍ମାର୍ଟଫୋନ୍, ଗୋଟିଏ କିଇ ପ୍ଯାଡ ମୋବାଇଲ, ୩ଟି ଏକଜିକ୍ୟୁଟିଭ ହ୍ଯାଣ୍ଡ ବ୍ଯାଗ୍ ଏବଂ ବିଭିନ୍ନ ପ୍ରକାର କେମିକାଲ, ପାଉଡର, ସାବୁନ୍, ବ୍ରସ୍, ହନୁମାନ ଚାଳିଷା, ଶନି ଚାଳିଷା, ଟାଓ୍ବେଲ ଇତ୍ଯାଦି ଜବତ କରିଛି। ଏ ବିଷୟରେ ସୋମବାର ସନ୍ଧ୍ଯାରେ ରାଉରକେଲା ପୋଲିସ୍ ମୁଖ୍ଯାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନୀତେଶ ଓ୍ବାଧଓ୍ବାନୀ। ଘଟଣାରୁ ପ୍ରକାଶ ଯେ, ସେକ୍ଟର-୬, ଏ/୬୨ କ୍ବାର୍ଟରରେ ରହୁଥିବା ମୃତ ଡମ୍ବରୁଧର ବେହେରାଙ୍କ ପତ୍ନୀ କମା ବେହେରାଙ୍କ, ସେକ୍ଟର-୭ ଥାନାରେ ଅଭିଯୋଗ ପରେ, ସେକ୍ଟର-୭ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଏହି ରାକେଟ୍ ବିଷୟରେ ପୋଲିସକୁ ସୂଚନା ମିଳିଥିଲା। ୯ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ପତଞ୍ଜଳୀ ଗୃପର ଥିଲା ବେଳେ, ଅନ୍ଯମାନେ ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ଯର। ସମସ୍ତେ ୨୦୨୧ ମସିହାରୁ ଗୋପବନ୍ଧୁପାଲ୍ଲି ଅଞ୍ଚଳରେ ଏକ ଭଡାଘର ନେଇ ରହୁଥିଲେ। ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟରରେ ରହୁଥିବା ଲୋକଙ୍କ ପାଖକୁ ଯାଇ ବିନା ମୂଲ୍ୟରେ ସୁନା ଦୋକାନରେ ସୁନା ଅଳଙ୍କାର ସଫାକରିବା ବାହାନା କରି ସୁନା ନେଇ ଆସୁଥିଲେ ଏବଂ ଆଉ ଫେରାଉ ନଥିଲେ। ଏହିଭଳି ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୨୭ଟି ଘଟଣା ଥିଲା ବେଳେ, ରାଉରକେଲାର ବିଭିନ୍ନ ପୋଲିସ୍ ଷ୍ଟେସନରେ ୨୧ଟି ମାମଲା ରହିଥିବା ବିଷୟ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ଯରେ ଅମିତ କୁମାର ଶାହା (୩୦ ବର୍ଷ), ଗୌତମ କୁମାର ସୋନି (୩୩), କୁନ୍ଦନ ଶାହା (୪୧ ବର୍ଷ), ଧନଞ୍ଜୟ କୁମାର ଶର୍ମା (୩୨), ଅରବିନ୍ଦ କୁମାର ସୋନି (୩୦ ବର୍ଷ)। ସମସ୍ତ ଅଭିଯୁକ୍ତ ଭାଗଲପୁର, ବିହାର ରାଜ୍ଯର ହୋଇଥିଲା ବେଳେ, ମେହରାଜ ହାଲଦାର (୩୬ ବର୍ଷ) ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲାର ଥାଇ ବର୍ତ୍ତମାନ ବିହାରର ଭାଗଲପୁରରେ ରହୁଥିବା ଜଣାପଡ଼ିଛି। ସେହିପରି ଅନୀଲ କୁମାର (୪୯ ବର୍ଷ) ବିହାର ଭାଗଲପୁରର ହୋଇଥିଲା ବେଳେ ଅମିତ କୁମାର (୩୦ ବର୍ଷ) ଝାଡଖଣ୍ଡ ଗୋଡା ଜିଲ୍ଲାର। ଅଶୋକ ଯାଦବ (୪୨ ବର୍ଷ) ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲ୍ଲି ଅଞ୍ଚଳର। ସମସ୍ତ ୯ ଅପରାଧୀଙ୍କ ବିରୁଦ୍ଧରେ ବିଏନ୍ଏସ୍ ଧାରା – ୩୧୮(୪)ରେ ମୋକଦ୍ଦମା ନମ୍ବର-୧୬୭ ମାମଲା ରୁଜ୍ଦୁ କରାଯାଇ, ଅଧିକ ଅନୁସନ୍ଧାନ ଜାରିରହିଛି।