ସମ୍ବଲପୁର: ବାଣ ନୁହେଁ,ପୂଜ୍ୟ ପୂଜାରେ ଡ଼ଙ୍ଗରପଡା ଗ୍ରାମବାସୀ ଦୀପାବଳି ଉତ୍ସବ ପାଳନ କରି ସମାଜକୁ ଏକ ନିଆରା ନିଦର୍ଶନ ଦେଇଛନ୍ତି।ପ୍ରତିଭା ପୂଜାହିଁ ପରିଚୟର ମାଧ୍ୟ୍ୟମ ଓ ଏହାଦ୍ୱାରା ଅଞ୍ଚଳର ବିକାଶ ଓ ପରିପ୍ରକାଶ ଘଟିଥାଏ ବୋଲି ଦୀପାବଳିରେ ଅନୁଷ୍ଠିତ ସ୍ମୃତି ସମ୍ବର୍ଦ୍ଧନା ଉତ୍ସବରେ ମତ ପ୍ରକାଶ ପାଇଛି।
ଆଦର୍ଶ ସରପଞ୍ଚ ସ୍ୱର୍ଗତ ନୀଳମାଧଵ ପଣ୍ଡା ଓ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭାଗିରଥି ବଡ଼ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପାବଳି ଅବସରରେ ଡ଼ଙ୍ଗରପଡା ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଅନୁଷ୍ଠିତ ସ୍ମୃତି ସମ୍ବର୍ଦ୍ଧନା ଉତ୍ସବରେ ଉଲ୍ଲେଖନୀୟ ସାମାଜିକ ସେବା,ସାଂସ୍କୃତିକ ଓ ଶୈକ୍ଷିକ ଉତ୍କର୍ଷ ପାଇଁ ୬୦ ବର୍ଷରୁ ଉର୍ଦ୍ଧ୍ୱ ଗ୍ରାମ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ମନ୍ଦିର କମିଟି କୋଷାଧ୍ୟକ୍ଷ ବଂଶୀଧର ବେହେରାଙ୍କ ସଭାପତିତ୍ୱ ଓ ଅମରେଶ ଶେଖର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ ମୁଖ୍ୟଅତିଥି, ଇଂ. ସଂଜୀବ କୁମାର ପଣ୍ଡା ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଡ଼ଙ୍ଗରପଡା ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡା, ବିଶ୍ୱଜିତ ମାଝୀ, ମାନସ କୁମାର ସାହୁ,ଶିକ୍ଷକ ଅଶ୍ୱିନୀ ପ୍ରଧାନ ଯୋଗ ଦେଇ ସ୍ବର୍ଗତ ନୀଳମାଧଵ ଓ ଭାଗିରଥିଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରି ପୂଜ୍ୟ ପୂଜାହିଁ ଏକତା, ସଂହତି ଓ ସଂସ୍କୃତିର ଦ୍ୱାରଦେଶ ବୋଲି ମତ ବ୍ୟକ୍ତ କରିଥିଲେ।ଅତିଥିଙ୍କ ସହିତ ସମସ୍ତ ଗ୍ରାମବାସୀ ପ୍ରାରମ୍ଭରେ ଉଭୟ ଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଅମର ପ୍ରତିଭାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ ରତ ସମାଜସେବୀ ତଥା ମନ୍ଦିର ଓ ଦୁର୍ଗାପୂଜା କମିଟି ସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କ ଅନୁପସ୍ଥିତରେ ଦିଲ୍ଲୀରୁ ପଠାଇଥିବା ତାଙ୍କ ବାର୍ତ୍ତା ପଠନ କରାଯାଇଥିଲା।ଏହି ଅବସରରେ ଗ୍ରାମର ପୁଅ ଝିଅ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଗ୍ରାମର ମହିଳା ମାନେ ଜଗନ୍ନାଥ ଓ ହନୁମାନ ମନ୍ଦିରରେ ଝୋଟି, ଅଲପିନା ଦେବା ସହ ଦୀପ ଓ ଆଲୋକୀକରଣରେ ସୁସଜ୍ଜିତ କରି ଗ୍ରାମର ଶୋଭା ମଣ୍ଡନ କରିଥିଲେ।