Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ବର୍ଷ ତଳର ପୁନରାବୃତ୍ତି:ଶାସନ କେନାଲ ସାପଲତରେ ୨୫ ମିଟର ଘାଇ,ବ୍ୟାପକ ଫସଲ ନଷ୍ଟ

କ୍ଷମତା ଠାରୁ ଅଧିକ ଜଳଯୋଗାଣ ସାଜିଲା କାଳ
କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ମରାମତି ଆରମ୍ଭ
ସମ୍ବଲପୁର ,(ରାଜାରାମ ଷଡ଼ଙ୍ଗୀ) : ଦୁଇ ବର୍ଷ ତଳର ପୁନରାବୃତ୍ତି ଘଟାଇ ଶାସନ କେନାଲ ସାଜିଲା ପୁଣି ଚାଷୀଙ୍କ ଦୁଃଖ। ଧାନ ଅମଳ ସମୟରେ ଚାଷ ଜମିକୁ ଧୋଇଦେଇଛି ଶାସନ କେନାଲ। ଖରିଫ ଧାନ କଟା ପାଇଁ କେନାଲରେ ପାଣି ବନ୍ଦ କରିବାକୁ ଆଉ ଦିନ କେଇଟା ହାତରେ ଥିବା ବେଳେ ୨୫ ମିଟରର ଘାଇ ସୃଷ୍ଟି ହୋଇ ଅମଳକ୍ଷମ ଏକର ଏକର ଚାଷ ଜମିରେ ପାଣି ମାଡି ଧାନ ଗଛ ସମ୍ପୂର୍ଣ୍ଣ ଭାବରେ ବୁଡି ଯାଇଅଛି। ଫଳରେ ବର୍ତ୍ତମାନ ଅଞ୍ଚଳର ଚାଷୀଙ୍କ ଭାଗ୍ୟରେ ଚଡ଼କ ପଡ଼ିଛି।
ସୂଚନା ମତେ, ଗତ ରାତିରେ ଶାସନ କେନାଲ ସାପଲତ ନିକଟସ୍ଥ ଥପାପଡ଼ା ନିକଟରେ ଥିବା ନୂଆ ପୋଲ ନିକଟରେ ସାଇଫନ ପାଖରେ ପ୍ରାୟ ୨୫ ମିଟରର ଏକ ବିଶାଳ ଘାଇ ସୃଷ୍ଟି ହୋଇ କେନାଲ ତଳ ଚାଷ ଜମିକୁ ପାଣି ମାଡ଼ିଯାଇଛି। ଗତ ଦୁଇ ବର୍ଷ ତଳେ ଯେଉଁ ଜାଗାରେ ଘାଇ ହୋଇଥିଲା, ତାର ଠିକ୍ ଓଲଟା ପାର୍ଶ୍ଵରେ ଏହି ଘାଇ ସୃଷ୍ଟି ହୋଇଛି। ଆଜି ସକାଳେ ପ୍ରାତଃ ସମୟରେ ଗାଁର ଯୁବକ ମାନେ ବ୍ୟାୟାମ କରିବାକୁ ଯାଇଥିବା ବେଳେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେବେ ଗାଆଁ ଲୋକେ ଜାଣିବା ପରେ ତୁରନ୍ତ ବିଭାଗକୁ ଜଣାଇଥିଲେ। ବିଭାଗୀୟ ଅଧିକାରୀ କେନାଲରେ ପାଣି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ପ୍ରାୟ ୫-୬ ଘଣ୍ଟା ପରେ କେନାଲରେ ପାଣି କମିଥିଲା। ତେବେ ଘଟଣା ସ୍ଥଳକୁ ସମ୍ୱଲପୁର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଅଞ୍ଜନ କୁମାର ନାଏକ ସକାଳ ୬ଟାରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିବା ପରେ ଉକ୍ତ ଘାଇର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ବାଲି ବସ୍ତା ଦ୍ଵାରା ପାଣିକୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। ପରେ ଜେସିବି ମେସିନ ସାହାଯ୍ୟରେ ମାଟି ପକାଇ ମରାମତି କାର୍ଯ୍ୟ ଚାଲିଅଛି। ତେବେ ଶାସନ କେନାଲରେ ଥିବା ତଳି ମୁଣ୍ଡକୁ ପାଣି ପହଞ୍ଚି ପାରୁ ନ ଥିବାରୁ କେନାଲରେ କ୍ଷମତା ଠାରୁ ଅଧିକ ପାଣି ଛଡା ଯାଉଥିବାରୁ ଏପରି ପରିସ୍ଥିତି ଉପୁଜିଛି ବୋଲି କନିଷ୍ଠ ଯନ୍ତ୍ରୀ ଅଞ୍ଜନ ନାଏକ କହିଛନ୍ତି।
ଅପରପକ୍ଷେ ଜଳସେଚନ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଅଞ୍ଚଳ ବାସୀ କହିଛନ୍ତି। ଏହି କେନାଲଟି ପରମାଣପୁର ଠାରୁ ବାହାରି ଧମା ଟେଲ ଅଞ୍ଚଳ ପର୍ଯ୍ୟନ୍ତ ଯାଇଅଛି। ଟେଲ୍ ଅଞ୍ଚଳରେ ପାଣି ପହଞ୍ଚି ପାରୁନଥିବାରୁ ସର୍ବୋଚ୍ଚ କ୍ଷମତା ୬୩୦ କ୍ୟୁସେକ ଜଳ ଠାରୁ ଅଧିକ ପାଣି କେନାଲରେ ପ୍ରବାହିତ ହେଉ ଥିବାରୁ କେନାଲ ହିଡ ଉପରୁ ପାଣି ସ୍ଥାନେ ସ୍ଥାନେ ଉଛୁଳି ପଡୁଛି। ଫଳରେ ଦୁର୍ବଳ ଜାଗାରେ ଏଭଳି ଘାଇ ସୃଷ୍ଟି ହୋଇଛି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହୁରି ମିଳିଥିବା ଖବର ଅନୁସାରେ ପ୍ରତ୍ୟେକ ବର୍ଷ ହେଉଥିବା ମରାମତି ଅତି ନିମ୍ନ ମାନର କାର୍ଯ୍ୟ ହୋଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ ହେବା ଏହାର ଅନ୍ୟ ଏକ କାରଣ।
ତେବେ ଆଜି ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ଦୁର୍ଯ୍ୟୋଧନ ମେହେର, ଗୁଣମଣି ମେହେର, କଳ୍ପେଶ୍ୱର ବେହେରା, ମୁକ୍ତେଶ୍ଵର ବେହେରା, ନିଖିଲ ପତି, ସୂର୍ଯ୍ୟକୁମାର ମେହେର,ଓ ଅନ୍ୟ ଅନେକ ଚାଷୀଙ୍କ ପ୍ରାୟ ୪୦ ଏକରରୁ ଅଧିକ ଚାଷ ଜମି ଜଳଚର ହେବାର ଜଣାପଡିଛି। ତେବେ ଆଜିକାର ପରିସ୍ଥିତିକୁ ଚାଷୀ ଓ ଆଞ୍ଚଳିକ ନାଗରିକ ମାନେ ସମ୍ପୂର୍ଣ୍ଣ ଭାବରେ ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳାକୁ ଦାୟୀ କରି ଶାସନ କେନାଲ ର ରକ୍ଷଣା ବେକ୍ଷଣ ପ୍ରତି ସରକାର ଆଖି ମୁଜି ଦେଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ