ବାତ୍ୟା ‘ଦାନା’ରେ ୬୦୦ କୋଟିର କ୍ଷୟକ୍ଷତି, ଜାଣନ୍ତୁ କେଉଁଥିରେ କେତେ ନଷ୍ଟ ହୋଇଛି


ଭୁବନେଶ୍ବର: ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ପାଇଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରୁ ଆସିଛି ରିପୋର୍ଟ । ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ‘ଦାନା’ରେ ପ୍ରାୟ ୬୦୦ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ବାତ୍ୟାରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି । ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧ ହଜାର ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସମୁଦାୟ ୧୬ ହଜାର ୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୪ ହଜାର ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହାସହ ଚୂଡ଼ାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି । ସେପଟେ କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ ବୋଲି ମଧ୍ୟ ସୂଚନା ମିଳିଛି ।