ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ) – ଆଜି ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ମନମୋହନ ପଟ୍ଟନାୟକ ପ୍ରେକ୍ଷାଳୟରେ ଧନକଉଡ଼ା ବ୍ଲକ୍ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ଉଦ୍ଦେଶ୍ୟରେ ଏକ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧନକଉଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ମୁଖ୍ଯଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ, ସ୍ବତନ୍ତ୍ର ଅତିଥି, ପ୍ରାକ୍ତନ ଶିକ୍ଷା ମଣ୍ଡଳାଧୀଶ ଡଃ ଗିରିଧାରୀ ହୋତା, ମୁଖ୍ୟବକ୍ତା, ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋକିତା ଦାଶ,ଅବସରପ୍ରାପ୍ତ ଶିକ୍ଷକ ହରି ନାରାୟଣ ପଣ୍ଡା ତଥା ଧନକଉଡ଼ା ବ୍ଲକ୍ ଗୋଷ୍ଠୀ ସଂସାଧନ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ।
ଶିକ୍ଷକ ଅସିମ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ବତନ୍ତ୍ର ଅତିଥି ଶ୍ରୀମତୀ ମୀନାରାଣୀ ମଙ୍ଗଳ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ପିଲାମାନେ ଏହି ଜାତିର ଭବିଷ୍ୟତ। ସେମାନେ ଦିନର ଅଧିକାଂଶ ସମୟ ପିତାମାତାଙ୍କ ସହିତ ରହିଥାନ୍ତି। ତେଣୁ ସେମାନଙ୍କ ଲାଳନପାଳନ କରିବା ସହିତ ସେମାନେ ଦୈନନ୍ଦିନ କିପରି ବିଦ୍ୟାଳୟକୁ ଆସିବେ ସେଥିପ୍ରତି ଯତ୍ନଶୀଳ ହେବେ। ସେମାନଙ୍କ ମଧ୍ୟରେ ଯେପରି କୌଣସି ନକାରାତ୍ମକ ଭାବର ଉଦ୍ରେକ ନ ହୁଏ, ସେଥିପ୍ରତି ଉଭୟ ଅଭିଭାବକ ଓ ସେମାନଙ୍କର ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ସତର୍କତା ଅବଲମ୍ବନ କରିବେ। ଯଦ୍ୱାରା ଆଜିର ଏହି ଅଭିନବ ପ୍ରୟାସ ସଫଳ ହୋଇପାରିବ।ମୁଖ୍ଯଅତିଥି ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ନିଜର ବକ୍ତବ୍ୟରେ ଅନେକ ମହାପୁରୁଷ ଓ ବର୍ତ୍ତମାନ ସମାଜରେ ଶୀର୍ଷ ସ୍ଥାନରେ ଅବସ୍ଥାପିତ ବ୍ଯକ୍ତିତ୍ବଙ୍କ ଉଦାହରଣ ଦେବା ସହିତ ଶିଶୁର ଭବିଷ୍ୟତ ନିର୍ମାଣରେ ପିତାମାତା, ଶିକ୍ଷକଶିକ୍ଷୟିତ୍ରୀ,ସମାଜ ଓ ସାମାଜିକ ପରିବେଷ୍ଟନିର ଉତ୍ତରଦାୟିତ୍ୱ ରହିଛି ବୋଲି ଅଭିହିତ କରିଥିଲେ। ଶିକ୍ଷା ହିଁ ମଣିଷକୁ ସମାଜରେ ସ୍ବତନ୍ତ୍ର ପରିଚୟ ଦେଇଥାଏ। ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶିକ୍ଷା ହିଁ ଏକମାତ୍ର ସାଧନ ଓ ଶ୍ରେଷ୍ଠ ଉପାଦାନ ବୋଲି ସେ ମତପୋଷଣ କରିଥିଲେ। ମୁଖ୍ୟବକ୍ତା ଡଃ ଗିରିଧାରୀ ହୋତା ନିଜର ଅଭିମତରେ ଉପସ୍ଥିତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ,ସି.ଆର୍.ସି.ସି, ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରତି ଉଦାର ତଥା ଉତ୍ତମ ବ୍ୟବହାର ପ୍ରଦର୍ଶନ ଦ୍ବାରା ବିଦ୍ୟାଳୟ ପ୍ରତି ଆକର୍ଷିତ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ପିଲା ଯଦି ଶିକ୍ଷାଗ୍ରହଣ ପାଇଁ ଆକର୍ଷିତ ନୁହେଁ,ସେ ବିଦ୍ୟାଳୟ ଆସିବ ନାହିଁ। ବିଦ୍ୟାଳୟରେ ପିଲାଟି ତା ମନରେ ଥିବା ସଂଶୟକୁ ନିର୍ଭୟରେ ବ୍ଯକ୍ତ କରିପାରିଲେ ଏବଂ ଆମେ ତାହାକୁ ସହୃଦୟତାର ସହିତ ସମାଧାନ କରିପାରିଲେ ଆମର ସଫଳତା ନିଶ୍ଚିତ ହେବ।ପଛଧାଡ଼ିରେ ବସୁଥିବା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ହିଁ ଆମର ମୌଳିକ ଲକ୍ଷ୍ଯ ହେବା ଉଚିତ୍। ଏହା ହୋଇପାରିଲେ ଆଜିର ଏହି ପ୍ରୟାସର ସଫଳତା ସୁନିଶ୍ଚିତ। ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋକିତା ଦାଶ ଏହି କାର୍ଯ୍ୟକ୍ରମରେ ନିଜର ସହଭାଗିତା ଓ ସଫଳତା କାମନା କରିଥିଲେ।ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୯୩ ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ଉପସ୍ଥିତ ରହିଥିଲେ ଏବଂ ଆଗାମୀ ଦିନରେ ସେମାନଙ୍କ ପୁଅଝିଅ ଯେପରି ପ୍ରତିଦିନ ବିଦ୍ୟାଳୟକୁ ଆସି ପାଠ ପଢ଼ିବେ ସେଥିପାଇଁ ଅଭିଭାବକମାନେ ସଂକଳ୍ପବଦ୍ଧ ହୋଇଥିଲେ।କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସି.ଆର୍.ସି.ସି., ଶିକ୍ଷକଶିକ୍ଷୟିତ୍ରୀ ତଥା ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।