ସମ୍ବଲପୁର: ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ସଡକ ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଯାଇଛି।ସମ୍ବଲପୁର ମଣ୍ଡଳୀୟ ପରିବହନ ବିଭାଗ ଓ ହୋପ୍ ସ୍କୋପ ଡ୍ରାଇଭିଂ ସ୍କୁଲ ସହଯୋଗିତାରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଶିବିରର ଉଦଘାଟନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ଥିଲେ।ଡ୍ରାଇଭିଂ ସ୍କୁଲ ପକ୍ଷରୁ ମନୋରଞ୍ଜନ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ। ଅତିରିକ୍ତ ପରିବହନ ଅଧିକାରୀ ଇଂ କାହ୍ନୁ ଚରଣ ବାନ୍ରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଇଂରାଜୀ ଅକ୍ଷରର ଚରୋଟି’ଇ’ଏଜୁକେସନ, ଇଂଜିନିୟରିଂ, ଇନଫୋର୍ସମେଣ୍ଟ ଓ ଇମରଜେନସି କେୟାରକୁ ନେଇ ସଚେତନତାର ପ୍ରସାରର ଆବଶ୍ଯକତା ରହିଛି ଏହାକୁ ନେଇ ଦୁଇ ହଜାର ତିରିଶ ସୁଦ୍ଧା କିଭଳି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ହାର ଅଧାକୁ ହ୍ରାସ ପାଇବ ସେଥିପାଇଁ ସରକାର ପ୍ରୟାସୀତ ଅଛନ୍ତି। ମୁଖ୍ୟ ଅତିଥି ସମ୍ବଲପୁର ପରିବହନ ଅଧିକାରୀ ଇଂ ରାମଦାସ ଟୁଡୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ,ଆମକୁ ସୁରକ୍ଷିତ ରହିବା ପାଇଁ ଜୀବନରେ ଶୃଂଖଳିତ ହେବାକୁ ପଡିବ,ଏଥି ସକାଶେ ପରିପକ୍ୱ ମାନସିକତାର ମଧ୍ୟ ଆବଶ୍ୟକ ରହିଛି।ସଡକ ନିର୍ଜୀବ ହେଲେ ମଧ୍ୟ କଥା କହେ। ରାସ୍ତାର ସେହି କଥା ହେଉଛି ସଡକର ନିୟମ ଯାହା ଆମକୁ ବୁଝିବାକୁ ହେବ।ଧମା ଥାନା ଏସ୍ଆଇ ଅଭିନବ ମିଶ୍ର ଏକ କବିତା ମାଧ୍ୟମରେ ସଚେତନତା ବା ଜାଗରଣର ଅର୍ଥ ବୁଝାଇବା ସହ ଆମେ ନିଜେ କିପରି ସଚେତନ ହେବା ସହ ଅନ୍ୟକୁ ସଚେତନ କରି ପାରିବା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ କହିଥିଲେ ଯେ,ସଡକ ଦୁର୍ଘଟଣା ଯୋଗୁଁ ଅପୂରଣୀୟ କ୍ଷତି ହେବାର ସମ୍ଭାବନା ଥିବାରୁ ଆମକୁ ସତର୍କ ରହିବା ନିହାତି ଜରୁରୀ।ଶେଷରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଶିବାନୀ ନାଏକ,ହର୍ଷିତା ସେଠ,ଶ୍ୟାମାରାଣୀ ବେହେରା ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବତ୍କୃତା ପ୍ରତିଯୋଗିତାରେ ଲିଲିମା ଗହୀର,ଅଲିଭା ଭୋଇ,ଶିବାସ ନାଗ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ହୋପ୍ ସ୍କୋପ ଡ୍ରାଇଭିଂ ସ୍କୁଲ ପକ୍ଷରୁ ସୁଶ୍ରୀ ସ୍ୱାଗତିକା ସ୍ୱାଇଁ ସଡକ ସୁରକ୍ଷା ଉପରେ ଶପଥପାଠ ସଭାପରେ ବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ ସଂଲଗ୍ନ ସମ୍ବଲପୁର ଓ ସୋନପୁର ଜିଲ୍ଲାକୁ ସଂଯୋଗ କରୁଥିବା ୧୫ନଂ ରାଜ୍ଯ ରାଜପଥକୁ ଯାଇ ସଡକ ଉପରେ ଯାତାୟତ କରୁଥିବା ବାହନ ଚାଳକମାନଙ୍କୁ ସଡକ ସୁରକ୍ଷାକୁ ନେଇ ସଚେତନ କରାଇବା ସହ ଏକ ଶୋଭାଯାତ୍ରାରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।