ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ଆଜି ୫୧୨୦ତମ ନିମ୍ବାର୍କ ଜୟନ୍ତୀ ସମାରୋହ ପାଳନ କରାଯାଇଛି।ଏହି ନିମ୍ବାର୍କ ଜୟନ୍ତୀ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ପୁରୀ ରାମଜୀ ମଠ ମହନ୍ତ ମହାରାଜ ଶ୍ରୀ ଶ୍ରୀ ବଂଶୀଧର ଦାଶ ଙ୍କ ଅଧ୍ୟକ୍ଷତାରେ ଏହି ନିମ୍ବାର୍କ ଜୟନ୍ତୀ ପାଳନ ହୋଇଥିଲା । ଗତ କାଲି (୧୪ତାରିଖ) ଗୁରୁବାର ଦିନ କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅଧିବାସ ଓ ଶତାଧିକ ମହିଳା ମୁଣ୍ଡରେ ଗଙ୍ଗା ଜଳ ପୂର୍ଣ୍ଣ କଳସୀ ଧରି ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନିୟ ଜଗନ୍ନାଥ ମନ୍ଦିର ରୁ ବାହାରି ମିନି ଷ୍ଟାଡିୟମ ସ୍ଥିତ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ I ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନ ନିମ୍ବାର୍କ ଜୟନ୍ତୀ , ପୂର୍ଣ୍ଣାହୂତି ଓ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଚାରି ଗ୍ରନ୍ଥ ଓ ଅଷ୍ଟାଦଶ ପୁରାଣ ପାଠ ପରିବେଷଣ କରାଯାଇଥିଲା । ଶୁକ୍ରବାର ଏ ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମହାରାଜଙ୍କ ପ୍ରଭୁକୃପା ପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତ ଧାଇଁ ଆସିଥିଲେ ।