Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

‘ଆଇ ଆମ୍ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ମିଳିଛି ଦୁଇଟି ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର

ଭୁବନେଶ୍ଵର,(ରାଜାରାମ ଷଡ଼ଙ୍ଗୀ ): ଲୋକପ୍ରିୟ ଚଳଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ ନିଜର ଚଳଚିତ୍ର ପାଇଁ ୩୪ତମ ଓଡିଶା ରାଜ୍ୟ ଚଳଚିତ୍ର ସମ୍ମାନ ସମାରୋହରେ ଦୁଇଟି ପୁରସ୍କାର ଜିତିଛନ୍ତି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଓଡିଶାର ରାଜ୍ୟପାଳ ରଘୁବର ଦାସ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ଶାନ୍ତନୁଙ୍କ ଦ୍ୱାରା ପ୍ରଯୋଜିତ ‘ମାନାୟୁ: ମାଇଁ ୱାଣ୍ଡରଲ୍ୟାଣ୍ଡ’କୁ ବେଷ୍ଟ ଡକ୍ୟୁମେଟାରୀ ମୁଭି ସମ୍ମାନ ମିଳିଥିଲା । ଏହି ଚଳଚିତ୍ର କଳାହାଣ୍ଡି ଜିଲ୍ଲାର ଗ୍ରାମାଂଚଳର କୁଟିଆ କନ୍ଧ ଜନଜାତିର ଜଣେ ଓଡିଆ ଯୁବକଙ୍କ ବାସ୍ତବ ଜୀବନର ଯାତ୍ରାକୁ ପ୍ରଦର୍ଶିତ କରୁଛି ଯିଏକି ଜୀବିକା ସନ୍ଧାନରେ ଦକ୍ଷିଣ ଭାରତକୁ ଯାତ୍ରା କରୁଛନ୍ତି । ତାଙ୍କର ସଂଘର୍ଷ ତାଙ୍କୁ ଶିକ୍ଷାର ମହତ୍ଵ ସମ୍ପର୍କରେ ଅନୁଭବ କରାଇଥିଲା ଏବଂ ସେ ଘରକୁ ଫେରି କିଛି ଭଲ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଇଥିଲେ । ସେ ନିଜ ଗାଁକୁ ଫେରି ସ୍ଥାନୀୟ ପିଲାମାନଙ୍କ ପାଇଁ ଏକ ମାଗଣା ସ୍କୁଲ ଖୋଲିଥିଲେ ଓ ଖରାପ ଆର୍ଥିକ ସ୍ଥିତି ସତ୍ତ୍ୱେ ଏହାର ପ୍ରଥମ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ମନାୟୁ ଚଳଚିତ୍ର ଅନେକ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ଖୁବ୍ ପ୍ରଶଂସା ଅର୍ଜନ କରିଛି ।
ସେହିପରି ଶାନ୍ତନୁ ମିଶ୍ରଙ୍କ ଦ୍ଵାରା ନିର୍ମିତ ଅନ୍ୟ ଏକ ଚଳଚିତ୍ର ‘ଟର୍ଚ’କୁ ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାରରେ ସ୍ପେଶାଲ ଜୁରୀ ଆଓ୍ବାର୍ଡ ମିଳିଛି । ଏହି ଫିଲ୍ମ ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ଏକ ସୁଦୂର ଗ୍ରାମରେ ଜଣେ ଗରିବ କୃଷକଙ୍କ ପୁଅଙ୍କ ଜୀବନ ଉପରେ ଆଧାରିତ ଯିଏକି ତାଙ୍କ ଘରକୁ ଏକ ଷ୍ଟିଲ ଟର୍ଚ ଆସିବା ପରେ ନିଜ ଜୀବନରେ ଟେକ୍ନୋଲୋଜିର ଆଗମନକୁ ନେଇ ଖୁବ୍ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତି । ଖରାପ ସ୍ୱାସ୍ଥ୍ୟ ସତ୍ତ୍ବେ ଏକ ଟର୍ଚର ଆଗମନ ତାଙ୍କ ଜୀବନରେ ଆଗ୍ରହକୁ ପୁନଃ ଉଜ୍ଜୀବିତ କରିଥାଏ । ସେ ଅଂଚଳ ପାଇଁ ଏକ ପ୍ରେରଣାରେ ପରିଣତ ହୁଅନ୍ତି । ଏହି ଫିଲ୍ମ ଏକ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଟର୍ଚ୍ଚ ଓ ମାନାୟୁ ଚଳଚିତ୍ର ଦକ୍ଷିଣ ଆଫ୍ରିକାର ଡର୍ବାନ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଡିଏନ୍ସ ଆଓ୍ବାର୍ଡ ପାଇଁ ଭାରତରୁ ଯାଇଥିବା କେବଳ ଦୁଇଟି ନାମାଙ୍କନ ଥିଲା । ଟର୍ଚ ମଧ୍ୟ ଅନେକ ପ୍ରତିଷ୍ଠିତ ଚଳଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି । ଶାନ୍ତନୁ ମିଶ୍ରଙ୍କ ଏହି ଦୁଇ ଚଳଚିତ୍ରକୁ ଓଡିଶାର ଜଣେ ଯୁବ ନିର୍ଦ୍ଦେଶକ ପ୍ରଣବ କୁମାର ଆଇଚ୍ ନିର୍ଦ୍ଦେଶନା ଦେଇଥିଲେ । ଏହି ଦୁଇ ପୁରସ୍କାରପ୍ରାପ୍ତ ଚଳଚିତ୍ରର ନାୟକଙ୍କୁ ସେମାନଙ୍କର ବାସ୍ତବ ଜୀବନର ସଂଘର୍ଷ କାହାଣୀ ଜାଣିବା ପରେ ଶାନ୍ତନ୍ତୁଙ୍କ ସ୍ଲାଇଲ ଫାଉଣ୍ଡେଶନ ଦ୍ବାରା ସହଯୋଗ ପ୍ରଦାନ କରାଯାଇଥିଲା । ପରେ ସେମାନଙ୍କର ପ୍ରେରଣାଦାୟକ ଯାତ୍ରାକୁ ନେଇ ଚଳଚିତ୍ର ନିର୍ମାଣ କରାଯାଇଥିଲା ।
ଏହି ସଫଳତା ସମ୍ପର୍କରେ ଶାନ୍ତନୁ ମିଶ୍ର କହିଛନ୍ତି, “ ମୁଁ ବିଶ୍ବାସ କରେ ଯେ, ଚଳଚିତ୍ର ହେଉଛି ବାସ୍ତବତାକୁ ଚିତ୍ରଣ କରିବା ଏବଂ ମୂଲ୍ୟବୋଧକୁ ଅନୁକରଣ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ଯମ । ଗୋଟିଏ ଭଲ ଚଳଚିତ୍ରର ଯୁବପିଢିଙ୍କ ମଧ୍ୟରେ ବ୍ୟକ୍ତିଗତ, ଭାବନାତ୍ମକ, ସାମାଜିକ, ନୈତିକ ଓ ଅନ୍ୟାନ୍ୟ ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା ଓ ଅନୁଧ୍ୟାନକୁ ତ୍ବରାନ୍ବିତ କରିବାର କ୍ଷମତା ରହିଛି, ଯାହା ସେମାନଙ୍କୁ ଜଣେ ଉତମ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱରେ ପରିଣତ ହେବା ପାଇଁ ସକ୍ଷମ କରିବ” ।