ଆଜିଠୁ ଖୋଲିବ ଧାନମଣ୍ଡି, ବରଗଡ଼ରୁ ଆରମ୍ଭ


ଭୁବନେଶ୍ବର: ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଛି । ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି, ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ୮୦୦ ଟଙ୍କା ସବସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେପଟେ ନୂଆପଡ଼ା ଜିଲ୍ଲାରେ ଆଜି ନିଜେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରାଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ଦେଇଛନ୍ତି ପରାମର୍ଶ । ତା’ସହ ଦଲାଲଙ୍କୁ ଦେଇଛନ୍ତି ଚେତାବନୀ ।

ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ତେବେ ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ସେପଟେ କିଛି ଚାଷୀଙ୍କର ଧାନ ଅମଳ ହେବାକୁ ବସିଥିବାବେଳେ ଜାନୁଆରୀରେ ଧାନ ବିକ୍ରି ପାଇଁ ମେସେଜ୍ ଆସିଥିବାରୁ ଚିନ୍ତିତ ହୋଇପଡିଛନ୍ତି । ବିଗତ ବର୍ଷ ମଣ୍ଡିରେ ଚାଷୀ ଭୋଗିଥିବା ଯନ୍ତ୍ରଣା ଏବେ ବି ମନରୁ ଯାଇନାହିଁ । କେଉଁଠି ଏଫଏକ୍ୟୁ ମାନ ଆଳରେ କଟନୀ ଛଟନୀକୁ ନେଇ ଚାଷୀ ତାତିଛନ୍ତି ତ କେଉଁଠି ଶୀତ କାକରରେ ମାସ ମାସ କାଳ ଧାନ ଜଗି ରହି ଶେଷରେ ଧାନ ଉଠିପାରିନି । ପୁଣି କେଉଁଠି ଟୋକନ୍ ଲାପସ୍ ହେବାରୁ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଶିକାର ହୋଇଛି । ଆଉ କେଉଁଠି ଆଖି ଆଗରେ ବର୍ଷାରେ ଭିଜି ଗଜା ହୋଇଯାଇଛି ବର୍ଷକର ପରିଶ୍ରମ । ତେବେ ଏଥର ଏସବୁ ଯନ୍ତ୍ରଣାରୁ ଚାଷୀଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ଏଥର ଧାନର ମାନ ପରୀକ୍ଷା କ୍ୱାଲିଟି ଆନାଲାଇଜର ମେସିନରେ କରିବାକୁ ନିଷ୍ପତ୍ତି ହୋଇଛି । ତା’ସହ ମଣ୍ଡିରେ ଦଲାଲ ରାଜ ରୋକିବାକୁ ସିସିଟିଭି ବ୍ୟବସ୍ଥା ବି ହୋଇଛି । ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର ।